ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର
1 min read
ବାଲିକୁଦା : ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ନହରଣା ଗ୍ରାମରେ ପାରିବାରିକ ବଚସାକୁ କେନ୍ଦ୍ର କରି ନିଶାସକ୍ତ ବାପାଙ୍କ କଟୁରି ଚୋଟରେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯୁବକ ଜଣକ ହେଲେ ତପନ ରାଉତ (୨୨)। ତାଙ୍କ ବାପା ପ୍ରତାପ ରାଉତ (୪୬) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ସମୟରେ କୌଣସି ଏକ କାରଣକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପୁଅ ତପନ ତାଙ୍କ ବାପାଙ୍କୁ ଏକ ଚାପୁଡ଼ା ମାରିଥିବା କୁହାଯାଉଛି। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରତାପ ଏକ ଧାରୁଆ କଟୁରୀରେ ତପନଙ୍କ ବାମ ହାତକୁ ହାଣି ଦେଇଥିଲେ।
ଘଟଣା ପରେ ପରିବାର ଲୋକେ ରାତି ପ୍ରାୟ ୨ଟା ସମୟରେ ଆମ୍ବୁଲାନ୍ସ ଯୋଗେ ତପନଙ୍କୁ ଜଗତସିଂହପୁର ମେଡିକାଲକୁ ନେଇଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବାପା ଓ ପୁଅ ଉଭୟେ ନିଶାସକ୍ତ
ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ବନ୍ଦର ସାମୁଦ୍ରିକ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ବୁଝାମଣା କରିବା ପାଇଁ ପୁଲିସ ପକ୍ଷରୁ ଗ୍ରାମରକ୍ଷୀଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।
ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଘଟଣା ସମୟରେ ବାପା ଓ ପୁଅ ଉଭୟେ ନିଶାସକ୍ତ ଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ପରିବାରରେ ବାରମ୍ବାର ପାଟିତୁଣ୍ଡ ଓ ବଚସା ହେଉଥିବା ବେଳେ ଗତରାତିର ଘଟଣା ଉଗ୍ର ରୂପ ନେଇଥିବା ଚର୍ଚ୍ଚା ହେଉଛି।


