କ୍ରାନ୍ତି ଦିବସରେ ଯୁବଶକ୍ତି ଟ୍ରଷ୍ଟର ‘କ୍ରାନ୍ତି ହିଁ କର୍ତ୍ତବ୍ୟ’କାର୍ଯ୍ୟକ୍ରମ
1 min read
ଭୁବନେଶ୍ୱର, ୧୦।୮: ଐତିହାସିକ ଭାରତ ଛାଡ ଆନ୍ଦୋଳନର ସ୍ମୃତି ଓ ଚେତନାକୁ ନୂତନ ଯୁବ ପିଢିଙ୍କ ମଧ୍ୟରେ ପହଞ୍ଚାଇବା ସହ ଯୁବ ଶକ୍ତିକୁ ଦେଶ ଓ ସମାଜ ପ୍ରତି ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବ ଅଫ ଓଡିଶାଠାରେ ‘କ୍ରାନ୍ତି ହିଁ କର୍ତ୍ତବ୍ୟ’ ଶୀର୍ଷକ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯକ୍ରମରେ ଯୁବ ଶକ୍ତିକୁ ସମାଜ ପରିବର୍ତ୍ତନର ଅଗ୍ରଦୂତ ହେବାକୁ ଆହ଼୍ବାନ ଦିଆଯାଇଥିଲା । ୧୯୪୨ର ଭାରତ ଛାଡ ଆନ୍ଦୋଳନର ତ୍ୟାଗ, ସାହାସ, ଏକତା ଓ ଦେଶପ୍ରେମରୁ ପ୍ରେରଣା ନେଇ ଆଜିର ଯୁବପିଢି ଏକ ନୂତନ ଓଡିଶା ଓ ସଶକ୍ତ ଭାରତ ଗଠନରେ ନିଜର ସକ୍ରିୟ ଭୂମିକା ନିର୍ୱାହ କରିବାକୁ ଅତିଥିମାନେ ଅବିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାଧିନତା ସଂଗ୍ରାମର ଆଦର୍ଶକୁ ବର୍ତ୍ତମାନ ସମୟର ଯୁବପିଢି ସହ ଯୋଡିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ମହାତ୍ମା ଗାନ୍ଧୀଙ୍କ କର ବା ମର ଆହୱାନ ପରେ ଛାତ୍ର, ଯୁବକ, ମହିଳା ଓ ସାଧାରଣ ଲୋକ ଯେପରି ଆନ୍ଦୋଳନକୁ ଆଗକୁ ନେଇଥିଲେ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
ସୂଚନାଯୋଗ୍ୟ, ଯୁବ ଶକ୍ତି ଟ୍ରଷ୍ଟ ହେଉଛି ଯୁବପିଢ଼ିଙ୍କୁ ସାମାଜିକ ଦାୟିତ୍ୱ, ନେତୃତ୍ୱ ଓ ସୃଜନଶୀଳତା ସହ ଯୋଡ଼ିବା ଲକ୍ଷ୍ୟରେ କାର୍ଯ୍ୟରତ ଏକ ସାମାଜିକ ସଂଗଠନ। ଯୁବକମାନଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା, ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବା ଟ୍ରଷ୍ଟର ପ୍ରମୁଖ ଲକ୍ଷ୍ୟ। କଳା, କ୍ରୀଡ଼ା, ଯୁବ ନେତୃତ୍ୱ, ସାମାଜିକ ସେବା ଓ ଜନସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ିକୁ ଏକ ମଞ୍ଚରେ ଆଣି, ସଶକ୍ତ, ସଚେତନ ଓ ଦାୟିତ୍ୱବାନ ସମାଜ ଗଠନ ଦିଗରେ ଯୁବ ଶକ୍ତି ଟ୍ରଷ୍ଟ କାର୍ଯ୍ୟ କରୁଛି।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରମୋଦ ଭଗତ, ସେନା ମେଡାଲ ପ୍ରାପ୍ତ କର୍ଣ୍ଣେଲ ସୁଧାଂଶୁ ଶେଖର, ପୂର୍ୱତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଯୁବନେତା ତେଜେଶ୍ୱର ପରିଡା, ମନୋଚିକିତ୍ସକ ବିଶେଷଜ୍ଞ ଅମ୍ରିତ ପଟ୍ଟଯୋଶୀ, ଅଭିନେତା ଆକାଶ ହୋତା, ଅଭିନେତ୍ରୀ ଦେବଜାନୀ ଦେହୁରିଆ, ଅଭିନେତ୍ରୀ ପୁନମ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ ଏବଂ ଅଭିନେତା ଦେବାଶିଷ ପାତ୍ର ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଠ ବ୍ୟକ୍ତି, କଳାକାର, ସାମ୍ୱାଦିକ, ସମାଜ ସେବୀ, ଖେଳାଳୀ, ରାଜନେତା ଓ ବହୁ ସଂଖ୍ୟକ ଯୁବ ପ୍ରତିନିଧି ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ସାମ୍ୱାଦିକ, ସାମ୍ୱାଦିକା, କଳାକାର, ସମାଜସେବୀ, ଖେଳାଳୀ ଓ ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଆୟୋଜକଙ୍କ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।


