ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସୁଯୋଗ ବୃଦ୍ଧି କରିବା ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ
1 min read
ଭୁବନେଶ୍ବର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସୁଯୋଗ ବୃଦ୍ଧି କରିବା ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଉଚ୍ଚ କ୍ଷମତାସଂପନ୍ନ କମିଟି (ଏଚ୍ପିସି) ବୈଠକର ନିଷ୍ପତ୍ତି ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲାରେ ମୋଟ ୩୫ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ କଲେଜ) ଖୋଲିବା ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି।
ନିର୍ଦେଶାଳୟର ସୂଚନା ଅନୁଯାୟୀ, ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ ୧୨୮ଟି, ବିଜ୍ଞାନ ବିଭାଗରେ ୬୪ଟି ଏବଂ ବାଣିଜ୍ୟ ବିଭାଗରେ ୬୪ଟି ସିଟ୍ ପାଇଁ ଅନୁମତି ଦିଆଯାଇଛି। ଏହାଛଡ଼ା ୧୨୭ଟି ସିଟ୍ ପର୍ଯ୍ୟନ୍ତ ସର୍ବାଧିକ ୪ଟି ଏବଂ ୧୨୮ଟି ସିଟ୍ ପାଇଁ ୬ଟି ଇଲେକ୍ଟିଭ୍ ବିଷୟ ରଖିବାକୁ ବ୍ୟବସ୍ଥା କରାଯାଇଛି। ଔପଚାରିକ ଭାବେ ‘ଅନୁମତି ପତ୍ର’ ପାଇବା ପାଇଁ ସମ୍ପୃକ୍ତ କଲେଜଗୁଡ଼ିକୁ କେତେକ ଜରୁରୀ ସର୍ତ୍ତ ଏବଂ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ କୁହାଯାଇଛି।


