July 24, 2026

ଯାଜପୁରରେ କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ

1 min read

ଯାଜପୁର, ତା.୨୪.୦୭.୨୦୨୬: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଦକ୍ଷଣ ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ସେ ସାରର ଉପଲବ୍ଧତା ଓ ବଣ୍ଟନ ବ୍ୟବସ୍ଥା, ଖରିଫ ଫସଲ ଚାଷର ଅଗ୍ରଗତି, ବିହନ ଯୋଗାଣ, ଜଳସେଚନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆଗ୍ରିଷ୍ଟାକ୍ (AgriStack) କୃଷକ ପଞ୍ଜୀକରଣ, କୃଷି ବଜାର ସୁବିଧା, ଚାଷୀମାନଙ୍କ ସମସ୍ୟା ଏବଂ ବିଭିନ୍ନ ସରକାରୀ କୃଷି ଯୋଜନାର କାର୍ଯ୍ୟକାରିତା ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ଅବସରରେ ସଚିବ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, କୌଣସି ଚାଷୀ ସାର, ବିହନ କିମ୍ବା ଅନ୍ୟାନ୍ୟ କୃଷି ଉପକରଣ ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ସେଥିପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଚାଷୀମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦାମୋଦରପୁର ସ୍ଥିତ ଉଦ୍ୟାନ କୃଷି କେନ୍ଦ୍ର ପରିଦର୍ଶନ କରି ସେଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ ସେ ସୁକିନ୍ଦା ବିହନ ଉତ୍ପାଦନ କ୍ଷେତ୍ର ପରିଦର୍ଶନ କରି ଏହାର ଉନ୍ନୟନ ଓ ଗୁଣାତ୍ମକ ବିହନ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ, ଯାଜପୁର, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଯାଜପୁର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।