July 16, 2026

ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

1 min read

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଖେଳୁଥିବା ସମୟରେ ସମସ୍ତଙ୍କ ଅଜାଣତରେ ପାଖରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁଟି ହେଲେ ମହୁରୀ ଗ୍ରାମର ବିଜୟ କୁମାର ଦଳେଇଙ୍କ ପୁଅ ତନ୍ମୟ ।

ମିଳିଥିବା ସୂଚନା ଅନୁଯାୟୀ ଶିଶୁଟି ଆଜି ଘର ପାଖରେ ଖେଳୁଥିଲା । ଏହି ସମୟରେ କୌଣସି କାରଣବଶତଃ ସେ ଅସାବଧାନତା କାରଣରୁ ପାଖରେ ଥିବା ଏକ ଗାଡ଼ିଆରେ ପଡ଼ିଯାଇଥିଲା । ବହୁ ସମୟ ଧରି ପିଲାଟିକୁ ନଦେଖିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ତାକୁ ଗାଡ଼ିଆ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବୈଶିଙ୍ଗା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ । ଖବରପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ ବିଜୟ ଚେନ୍ନାଇରେ ଏକ ବେସରକାରୀ ସଂସ୍ଥାରେ କାର୍ଯରତ। ଘଟଣା ସମ୍ପର୍କରେ ଖବର ପାଇ ସେ ଫେରୁଛନ୍ତି ଏବଂ ଶୁକ୍ରବାର ପହଞ୍ଚିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ବାରିପଦା ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ନିକଟରେ ସୂଚନା ମିଳିଛି।