July 11, 2026

ବାଲେଶ୍ୱର ଜିଲ୍ଲା ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜନନୀ ଆମ୍ବୁଲାନ୍ସ ଗତ ୫ ଦିନ ଧରି ଅଚଳ

1 min read

ଖଇରା:ବାଲେଶ୍ୱର ଜିଲ୍ଲା ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜନନୀ ଆମ୍ବୁଲାନ୍ସ ଟାୟାର ପରିବର୍ତ୍ତନ ନ ହେବାରୁ ଗତ ୫ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଗର୍ଭବତୀ ମହିଳା ଓ ଜରୁରୀ ରୋଗୀଙ୍କୁ ମାଗଣା ପରିବହନ ସେବା ମିଳୁନଥିବାରୁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସରକାରଙ୍କ ପକ୍ଷରୁ ମାତୃ ଓ ଶିଶୁ ସୁରକ୍ଷା ପାଇଁ ଖଇରା ବ୍ଲକ୍‌ରେ ଏକମାତ୍ର ଜନନୀ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ପ୍ରାୟ ୨ ଲକ୍ଷ ଜନସଂଖ୍ୟା ଏହି ଆମ୍ବୁଲାନ୍ସ ଉପରେ ନିର୍ଭରଶୀଳ ଥିବାବେଳେ, ଗାଡ଼ିଟିର ଟାୟାର ଅତ୍ୟଧିକ ଖରାପ ହୋଇଯିବାରୁ ସେବା ବନ୍ଦ ରହିଛି। ଆମ୍ବୁଲାନ୍ସଟି ୮୫ ହଜାର କିଲୋମିଟରରୁ ଅଧିକ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟାୟାର ପରିବର୍ତ୍ତନ କରାଯାଇନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ସରକାରୀ ନିୟମ ଅନୁସାରେ ୫୦ ହଜାର କିଲୋମିଟର ପରେ ଟାୟାର ବଦଳାଇବା କଥା। କିନ୍ତୁ ଏହା ନ ହେବାରୁ ଆମ୍ବୁଲାନ୍ସଟି ମେଡିକାଲ ପରିସରରେ ଅଚଳ ଅବସ୍ଥାରେ ପଡ଼ି ରହିଛି। ଗତ ୫ ଦିନ ମଧ୍ୟରେ ୫୦ରୁ ଅଧିକ ଗର୍ଭବତୀ ମହିଳା ହେଲ୍ପଲାଇନ୍‌କୁ ଫୋନ୍ କରିଥିଲେ ମଧ୍ୟ ସେବା ପାଇପାରିନଥିବା ଜଣାପଡ଼ିଛି।ଏହି ପରିସ୍ଥିତିରେ ରୋଗୀଙ୍କ ପରିବାର ଲୋକେ ବାଧ୍ୟ ହୋଇ ଘରୋଇ ଗାଡ଼ି କିମ୍ବା ପଡ଼ୋଶୀ ବ୍ଲକ୍‌ର ସୋର, ସିମୁଳିଆ ଓ ଔପଦାର ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି। ଜରୁରୀ ସମୟରେ ବାଲେଶ୍ୱର, ସୋର ଓ ଭଦ୍ରକ ଭଳି ଡାକ୍ତରଖାନାକୁ ରୋଗୀ ସ୍ଥାନାନ୍ତର କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି।