ୟୁରୋପର ଅନ୍ୟତମ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସର ବିଶ୍ବକପ ଜିତିବା ସ୍ବପ୍ନ ପୁଣି ଥରେ ଧୂଳିସାତ୍
1 min read
ମଣ୍ଟେରି: ୟୁରୋପର ଅନ୍ୟତମ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସର ବିଶ୍ବକପ ଜିତିବା ସ୍ବପ୍ନ ପୁଣି ଥରେ ଧୂଳିସାତ୍ ହୋଇଛି। ନେଦରଲାଣ୍ଡସକୁ ଆଫ୍ରିକୀୟ ଦେଶ ମରକ୍କୋ ବିଶ୍ବକପରୁ ବିଦା କରିଛି। ମଙ୍ଗଳବାର ସକାଳେ ରାଉଣ୍ଡ-୩୨ ମ୍ୟାଚରେ ମରକ୍କୋ ପେନାଲ୍ଟି ସୁଟ୍ଆଉଟ୍ ୩-୨ ଗୋଲ୍ରେ ନେଦରଲାଣ୍ଡ୍ସକୁ ହରାଇ ପ୍ରି କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ମ୍ୟାଚ ୧୨୦ ମିନିଟ୍ ସଂଘର୍ଷ ପରେ ପେନାଲ୍ଟିରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା। ନିର୍ଦ୍ଧାରିତ ଓ ଅତିରିକ୍ତ ସମୟ ଖେଳ ୧-୧ ଗୋଲ୍ ବରାବର ରହିବାରୁ ପେନାଲ୍ଟିର ଆଶ୍ରୟ ନିଆଯାଇଥିଲା। ପେନାଲ୍ଟିରେ ମରକ୍କୋ ୩-୨ ଗୋଲ୍ରେ ବିଜୟୀ ହୋଇଥିଲା। ମରକ୍କୋ ଜୁଲାଇ ୪ରେ କାନାଡା ସହ ପ୍ରି କ୍ବାର୍ଟର ଫାଇନାଲ ଖେଳିବ। ମ୍ୟାଚରେ ଉଭୟ ଦଳର ଆକ୍ରମଣ ଓ ପ୍ରତି ଆକ୍ରମଣ ସହ ରକ୍ଷଣଭାଗର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଗୋଲ୍ ଦେବା ନେଇ ଜୋରଦାର ଉଦ୍ୟମ କରିଥିଲେ।୭୨ତମ ମିନିଟ୍ରେ ନେଦରଲାଣ୍ଡ୍ସର ଅଭିଜ୍ଞ ଷ୍ଟ୍ରାଇକର କୋଡ଼ି ଗାକ୍ପେ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ନେଦରଲାଣ୍ଡ୍ସ ଉକ୍ତ ଅଗ୍ରଣୀକୁ ମ୍ୟାଚର ଶେଷ ପଯ୍ୟାୟ ୯୦ ମିନିଟ୍ ପର୍ଯ୍ୟନ୍ତ ବଳବତ୍ତର ରଖିଥିଲା। ଇଞ୍ଜୁରୀ ସମୟରେ ନେଦରଲାଣ୍ଡ୍ସକୁୂ ଭାଗ୍ୟ ସହାୟ ହୋଇନଥିଲା। ୯୦+୧ ମିିନିଟ୍ରେ ମରକ୍କୋ ପକ୍ଷରୁ ଇଶା ଡିଅପ ଗୋଲ୍ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ୍ ବରାବର ରହିବାରୁ ଅତିରିକ୍ତ ୩୦ ମିନିଟ୍ ଖେଳାଯାଇଥିଲା। ଅତିରିକ୍ତ ସମୟ ଗୋଲ୍ଶୂନ୍ୟ ରହିଥିଲା। ଅତିରିକ୍ତ ସମୟ ସୁଦ୍ଧା ମ୍ୟାଚ ୧-୧ ଗୋଲ୍ ବରାବର ରହିବାରୁ ପେନାଲ୍ଟିର ଆଶ୍ରୟ ନିଆଯାଇଥିଲା। ସୁଟ୍ଆଉଟ୍ରେ ଉଭୟ ଦଳ ତାଳମେଳ ଦେଇ ଚାଲିଥିଲେ। ୪ଟି ଲେଖାଏଁ ପେନାଲ୍ଟି ସୁଟ୍ଆଉଟ୍ ଶେଷ ପର୍ଯ୍ୟନ୍ତ ଗୋଲ୍ ୨-୨ ବରାବର ସ୍ଥିତିରେ ଥିଲା। ନେଦରଲାଣ୍ଡ୍ସର କ୍ରିସେନ୍ସିଓ ସୁମରଭିଲେଙ୍କ ଶେଷ ପେନାଲ୍ଟିକୁ ମରକ୍କୋ ଗୋଲ୍ରକ୍ଷକ ୟାସିନ ବୋନୋଉ ରୋକିଦେବା ପରେ ଇସ୍ମାଇଲ ସାଇବରି ନିର୍ଣ୍ଣାୟକ ପେନାଲ୍ଟିକୁ ଗୋଲ୍ରେ ପରିଣତ କରି ମରକ୍କୋକୁ ବିଜୟୀ କରାଇଥିଲେ। ମରକ୍କୋ ଗତ ୨୦୨୨ ଫିଫା ଫୁଟବଲ ବିଶ୍ବକପର ସେମିଫାଇନାଲରେ ପହଞ୍ଚିଥିଲା।


