June 21, 2026

ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ

1 min read

ଭୁବନେଶ୍ୱର: ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ କରିଛନ୍ତି।ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଯୋଗ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିଛି। ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ‘ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ’। ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟସ ବଢ଼ିବା ସହିତ ଶରୀରରେ ଦେଖାଦେଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ଆହ୍ୱାନ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣର ସହଜ ସମାଧାନ ଯୋଗ ଏବଂ ପ୍ରାଣାୟାମ ମାଧ୍ୟମରେ ସମ୍ଭବ। ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତା ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ। ସେହିପରି ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମ୍‌ରେ ୨୦ରୁ ୩୦ ମିନିଟ୍ ଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।