June 18, 2026

ଓଡ଼ିଶା ପୁଲିସର ଏନ୍‌କାଉଣ୍ଟରରେ ମହାରାଷ୍ଟ୍ରର ଦୁଇ ଜଣ ଅପରାଧୀ ଆହତ

1 min read

ଅନୁଗୁଳ: ଅପରାଧୀମାନଙ୍କୁ ଆଉ ତ୍ରାହି ମଳିବ ନାହିଁ। ପୁଲିସର ବନ୍ଧୁକମୁନରୁ ଆଉ ଖସିପାରିବେ ନାହିଁ। ଓଡ଼ିଶା ପୁଲିସର ଏନ୍‌କାଉଣ୍ଟରରେ ମହାରାଷ୍ଟ୍ରର ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି। ଅପରାଧୀମାନେ ହେଲେ ସଚିନ ଗଜଗେ ଓ ପ୍ରକାଶ ମାଦନେ। ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ ଗୁଳି ବାଜିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ୫ଜଣ ଅପରାଧୀ ଗତକାଲି ରାତିରେ ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ। ଦୋକାନ ମାଲିକଙ୍କ ଏତଲା କ୍ରମେ ପୁଲିସ ତୁରନ୍ତ ଛାନ୍‌ଭିନ କରିଥିଲା। ଏବେ ଲୁଟ ସୁନା ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଜୋରଦାର ଚଢ଼ାଉ କରିଥିଲା।

ତେବେ ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ଅପରାଧୀମାନେ ପୁଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଅପରାଧୀ ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ଏନ୍‌କାଉଣ୍ଟର ସମୟରେ ଘଟଣାସ୍ଥଳରୁ ଦୁଇ ଜଣଙ୍କ ସମେତ ମୋଟ୍ ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ। ସମସ୍ତ ୪ ଅଭିଯୁକ୍ତ ମହାରାଷ୍ଟ୍ରର। ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ପୁଲିସ୍ ଅଭିଯୁକ୍ତଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ ସମେତ କାର୍ ଜବତ୍ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି