ଦ୍ବିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି
1 min read
ମେକ୍ସିକୋ ସିଟି: ଏସୀୟ ମହାଦେଶୀୟ ଦଳ ଦକ୍ଷିଣ କୋରିଆ ଫିଫା ବିଶ୍ବକପ-୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ସକାଳେ ମେକ୍ସିକୋର ସାପୋପାନସ୍ଥ ଗୁଡାଲାଜାର ଷ୍ଟାଡ଼ିୟମରେ ଗ୍ରୁପ-ଏ ର ଦ୍ବିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ମ୍ୟାଚ ପ୍ରଥମରୁ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧ ତଥା ଖେଳର ୫୯ ମିନିଟ୍ରେ ଚେକ୍ ଗଣରାଜ୍ୟ ପକ୍ଷରୁ ଲାଡିସଲାଭ କ୍ରେଜେସି ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଚେକ୍ ଗଣରାଜ୍ୟର ଉକ୍ତ ଅଗ୍ରଣୀକୁ ଦକ୍ଷିଣ କୋରିଆ ବେଶି ସମୟ ତିଷ୍ଠି ରଖିବାକୁ ଦେଇନଥିଲା। ୬୭ ମିନିଟ୍ରେ ଦକ୍ଷିଣ କୋରିଆ ଗୋଲ ବରାବର କରି ନେଇଥିଲା। ଦଳ ପକ୍ଷରୁ ହ୍ବାଙ୍ଗ ଇନ୍ ବିଓମ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ଗୋଲ ବରାବର ପରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୭୭ ମିନିଟ୍ରେ ଚେକ୍ ଗଣରାଜ୍ୟ ପକ୍ଷରୁ ଥୋମାସ .ସୌସେକ ହେଡ୍ ଜରିଆରେ ଏକ ଚମତ୍କାର ଗୋଲ ଦେଇ ଖୁସି ମନାଇଥିଲେ। ହେଲେ ରେଫରୀ ଏହାକୁ ଅଫସାଇଡ୍ ଘୋଷଣା କରିବାରୁ ଚେକ୍ ଗଣରାଜ୍ୟ ଖେଳାଳିଙ୍କ ଖୁସି ମଉଳି ଯାଇଥିଲା। ୮୦ ମିନିଟ୍ରେ ଦକ୍ଷିଣ କୋରିଆ ଦ୍ବିତୀୟ ଗୋଲ ସ୍କୋର କରିଥିଲା। ଓହ ହିୟୁ ଗ୍ୟୁ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଚେକ୍ ଗଣରାଜ୍ୟ ଗୋଲ ବରାବର କରିବା ନେଇ େଶଷ ମିନିଟ୍ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ଦକ୍ଷିଣ କୋରିଆ କୌଣସି ସୁଯୋଗ ଦେଇନଥିଲା। ଶେଷରେ ଦକ୍ଷିଣ କୋରିଆ ମ୍ୟାଚକୁ ୨-୧ ଗୋଲରେ ବିଜୟୀ ହୋଇଥିଲା। ଏହି ବିଜୟ ସହ ଦକ୍ଷିଣ କୋରିଆ ୩ ପଏଣ୍ଟ ପାଇଛି। ୧୮ରେ ଦକ୍ଷିଣ କୋରିଆ ଦ୍ବିତୀୟ ମ୍ୟାଚ ମେକ୍ସିକୋ ସହ ଓ ଚେକ୍ ଗଣରାଜ୍ୟ -ଦକ୍ଷିଣ ଆଫ୍ରିକା ସହ ଖେଳିବ।


