ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍କୁ ଅଣ୍ଡାମାଡ଼
1 min read
ବୋଲଗଡ଼ : ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ବ୍ରହ୍ମପୁରା ଛକ ଓଭରବ୍ରିଜ୍ ଉପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍କୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ରବିବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ବୋଲଗଡ଼ ବ୍ଲକ ଦଳେଇସାହି ପଞ୍ଚାୟତରେ ଆୟୋଜିତ ଏକ ଚିକିତ୍ସା ଶିବିରରେ ଯୋଗଦେବା ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ୫୭ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିଲେ। ବୋଲଗଡ଼ ପୁଲିସର ସୁରକ୍ଷା ବଳୟରେ ସାଂସଦଙ୍କ ଗାଡ଼ି ବ୍ରହ୍ମପୁରା ଛକ ବ୍ରିଜ୍ ଅତିକ୍ରମ କରୁଥିବା ସମୟରେ ଏକ ବାଇକ୍ରେ ଆସି ଦୁଇ ଦୁର୍ବୃତ୍ତ ତାଙ୍କ କାର୍କୁ ଲକ୍ଷ୍ୟ କରି ଅଣ୍ଡାମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ୪ ମାସ ପରେ ସାଂସଦ ବୋଲଗଡ଼ ବ୍ଲକ ଗସ୍ତ କରି ଦଳୀୟ କର୍ମୀମାନଙ୍କୁ ଭେଟିବା ସହ ଏହି ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ। କେଉଁ କାରଣ ପାଇଁ ଏବଂ କେଉଁ ଗୋଷ୍ଠୀ ପକ୍ଷରୁ ସାଂସଦଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହା ବିରୋଧୀ ଗୋଷ୍ଠୀର କାର୍ଯ୍ୟ ନା ଏହା ପଛରେ ଅନ୍ୟ କୌଣସି ବିବାଦ ରହିଛି; ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଏ ସମ୍ପର୍କରେ ବୋଲଗଡ଼ ଥାନା ନିରୀକ୍ଷକ ସୁକାନ୍ତ ଦଳେଇ କହିଛନ୍ତି, ଅଣ୍ଡାମାଡ଼ କରିଥିବା ୨ ଯୁବକ ମୁଣ୍ଡରେ ହେଲମେଟ୍ ପିନ୍ଧିଥିଲେ। ମୁହଁ ଢାଙ୍କି ହୋଇ ରହିଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।


