ବିମାନବନ୍ଦରରେ ଉଡ଼ାଣ ଭରିବା ସମୟରେ ସ୍ୱିସ୍ ଏୟାରର ଏକ ବିମାନର ଇଞ୍ଜିନ୍ ଫେଲ୍ ହୋଇ ନିଆଁ ଲାଗିଯାଇଛି
1 min read
ନୂଆଦିଲ୍ଲୀ: ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଉଡ଼ାଣ ଭରିବା ସମୟରେ ସ୍ୱିସ୍ ଏୟାରର ଏକ ବିମାନର ଇଞ୍ଜିନ୍ ଫେଲ୍ ହୋଇ ନିଆଁ ଲାଗିଯାଇଛି। ଏହି ଘଟଣାରେ କମରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଏବଂ ଗ୍ରାଉଣ୍ଡ ଷ୍ଟାଫ୍ ଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।ସୂଚନା ଅନୁଯାୟୀ ସ୍ୱିସ୍ ଏୟାରର ବିମାନଟି ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାକୁ ଯାଉଥିଲା। ବିମାନଟି ରନୱେରେ ଗତି ବଢ଼ାଇବା ମାତ୍ରେ ଏହାର ଗୋଟିଏ ଇଞ୍ଜିନରୁ ଏକ ଶଦ୍ଦ ବାହାରିବାକୁ ଲାଗିଲା । ଏବଂ କିଛି ସେକେଣ୍ଡ ମଧ୍ୟରେ ନିଆଁ ଲାଗିଗଲା। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି, ପାଇଲଟ୍ ତୁରନ୍ତ ଉଡ଼ାଣ ବାତିଲ କରିଥିଲେ ।
ବିମାନବନ୍ଦରର ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ସେବା କର୍ମଚାରୀଙ୍କୁ ତୁରନ୍ତ ଏ ସମ୍ପର୍କରେ ଜଣାଇଥିଲେ। କିଛି ମିନିଟ୍ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏବଂ ବିମାନକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହି ସମୟରେ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ଦୁର୍ଘଟଣା ସମୟରେ ୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବା ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉଥିବା ଜଣାପଡିଛି।


