ପୂର୍ବତନ ଦ୍ରୁତ ବୋଲର ସାପୁର ଜଦ୍ରାନ୍ ଏବେ ମରଣ ସହ ଲଢେଇ କରୁଛନ୍ତି
1 min read
ନୂଆଦିଲ୍ଲୀ: ଦିନେ ନିଜର ଘାତକ ବୋଲିଂ ଦ୍ବାରା ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଉଥିବା ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ସାପୁର ଜଦ୍ରାନ୍ ଏବେ ମରଣ ସହ ଲଢେଇ କରୁଛନ୍ତି। ଏକ ବିରଳ ରୋଗରେ ପୀଡ଼ିତ ଜଦ୍ରାନଙ୍କ ସ୍ଥିତି ସଂକଟାପନ୍ନ ଥିବା କୁହାଯାଉଛି।
ସେ ହେମୋଫାଗୋସିଟିକ୍ ଲିମ୍ଫୋହିଷ୍ଟିଓସିଟୋସିସ୍ (ଏଚଏଲଏସ) ନାମକ ଏକ ଅତି ବିରଳ ରୋଗରେ ପୀଡ଼ିତ। ଏହି ରୋଗ ସାଧାରଣତଃ ଶିଶୁମାନଙ୍କୁ ହେଉଥିଲେ ବି ବେଳେବେଳେ ବୟସ୍କଙ୍କୁ ବି ଆକ୍ରାନ୍ତ କରିଥାଏ। ଏହି ରୋଗରେ ଶରୀରର ସୁରକ୍ଷା କରୁଥିବା ରୋଗପ୍ରତିରୋଧକ ଶକ୍ତି ହିଁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଂଗକୁ ଆକ୍ରାନ୍ତ କରିଥାଏ। ଗତ ବର୍ଷ ଅକ୍ଟୋବର ମାସରେ ଜଦ୍ରାନଙ୍କ ଶରୀରରେ ପ୍ରଥମଥର ପାଇଁ ଏହାର ଲକ୍ଷଣ ଦେଖାଯିବା ପରେ କାବୁଲର ଡାକ୍ତର ତାହାକୁ ପ୍ରଥମେ ଯକ୍ଷ୍ମା ବୋଲି ଭାବିଥିଲେ। କିନ୍ତୁ ପରେ ଏହି ରୋଗ ଚିହ୍ନଟ ହେବା ପରେ ଉଚ୍ଚତର ଚିକିତ୍ସା ପାଇଁ ଭାରତ ଯିବାକୁ ପରାମର୍ଶ ଦେଇଥିଲେ। ଜାନୁଆରି ୧୮ରେ ସେ ଦିଲ୍ଲୀର ଏକ ହସପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲେ ବି ସ୍ଥିର ରହିଥିବା କୁହାଯାଉଛି। ତାଙ୍କ ସାଥୀ ଖେଳାଳି ରସିଦ ଖାଁ, ମହମ୍ମଦ ନବି, ଆଲ୍ଲା ଗଜନଫାର ଆଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିୟମିତ ନଜର ରଖିଛନ୍ତି।
ଜଦ୍ରାନ ୨୦୦୯ରୁ ୨୦୧୯ ମଧ୍ୟରେ ଆଫଗାନିସ୍ତାନ ପାଇଁ ୮୦ଟି ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍ରେ ସେ ଭାରତର ଦୁଇ ଓପନର୍ ବୀରେନ୍ଦ୍ର ସେହଓ୍ବାଗ୍ ( ୮ ରନ୍) ଓ ଗୌତମ ଗମ୍ଭୀର( ୧୦ ରନ୍)ଙ୍କୁ ଆଉଟ୍ କରି ଚହଳ ପକାଇଥିଲେ।


