April 4, 2026

କୁଆପଥର ମାଡ଼ ଯୋଗୁଁ ମଧ୍ୟ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି

1 min read

ନୂଆଦିଲ୍ଲୀ: ଉତ୍ତର ଓ କେନ୍ଦ୍ର ଭାରତରେ ପଶ୍ଚିମାଝଡ଼ ପ୍ରଭାବରେ ବସନ୍ତ ଋତୁ ସମ୍ପୂର୍ଣ୍ଣ ଭାବେ ଉଭେଇ ଯାଇଛି। ଦିଲ୍ଲୀ-ଏନ୍‌ସିଆର୍‌ ଉପରେ ୧୦୦୦ କିମି ପର୍ଯ୍ୟନ୍ତ ବାଦଲ ଖଣ୍ଡ ଲମ୍ବି ରହିଛି, ଯାହାର ପ୍ରଭାବରେ ଅପରାହ୍ଣରେ ମଧ୍ୟ ଆକାଶ କଳା ଓ ପାଗ ଶୀତୁଆ ରହିଛି। ପ୍ରବଳ କୁଆପଥର ଓ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ୟେଲୋ ଆଲର୍ଟ ଜାରି କରିଛି। ଏହାର ପ୍ରଭାବରେ ଶନିବାର ଅପରାହଣ ୨ଟାରୁ ରାତି ୧୧ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ।

ମଧ୍ୟପ୍ରଦେଶ , ପୂର୍ବ ରାଜସ୍ଥାନ, ପଶ୍ଚିମ ଉତ୍ତର ପ୍ରଦେଶ, ହରିୟାଣା, ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ କୁଆପଥର ବର୍ଷା ଓ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ଏହି ସିଷ୍ଟମ୍‌ ପୂର୍ବ ଓ କେନ୍ଦ୍ର ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବି ରହିଛି। ବର୍ଷା ସମୟରେ ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ରହିବ। ପବନ‌ ଯୋଗୁ ଫସଲ ନଷ୍ଟ ହେବାର ସମ୍ଭାବନା ରହିଥିବା ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।
କୁଆପଥର ମାଡ଼ ଯୋଗୁଁ ମଧ୍ୟ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ରାଜସ୍ଥାନ ଓ ହରିୟାଣାରେ ଗତ କିଛି ଦିନ ହେଲା ଅସମୟ ବର୍ଷା ଓ କୁଆପଥର ମାଡ଼ ଯୋଗୁ ଚାଷୀମାନଙ୍କର ବ୍ୟାପକ ଫସଲ କ୍ଷତି ହୋଇଛି। ବର୍ଷା ଯୋଗୁଁ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ରବିବାର ସନ୍ଧ୍ୟା ସୁଧା ଝାନସୀ, ଗ୍ବାଲିଅର ଓ ଉତ୍ତର ମଧ୍ୟପ୍ରଦେଶରେ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି।