ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ
1 min read
ବରଗଡ଼ : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ସହରର ଗରିବ ଖଟିଖିଆ ଲୋକେ । ଉଚ୍ଛେଦ ପରେ ସେମାନଙ୍କ ଜୀବନ ଜୀବିକା ଉଜୁଡି ଯାଉଛି। ବାସଗୃହ ହରାଇବାରୁ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ ହୋଇ ପଡୁଛି କଷ୍ଟସାଧ୍ୟ। ଫଳରେ ଏଭଳି ଉଚ୍ଛେଦକୁ ପଡାବାସୀ ବିରୋଧ କରୁଥିବାବେଳେ ଏଥିପାଇଁ ପ୍ରଶାସନକୁ ମଧ୍ୟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ମଙ୍ଗଳବାର ବରଗଡ଼ ପୌର ପରିଷଦର ୱାର୍ ନଂ-୧୪ ଏବଂ ୱାର୍ ନଂ-୧୫ ଅଧିନରେ ରହିଥିବା କେନାଲ ପଡାକୁ ଉଚ୍ଛେଦ କରାଯାଇଛି। ତେବେ ଉଚ୍ଛେଦ ପୂର୍ବରୁ ଥଇଥାନ ଏବଂ ଅଧିକ କିଛି ସମୟ ଦେବାକୁ ଦାବି କରି ପଡାବାସୀ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନକୁ ବାରମ୍ବାର ନେହୁରା ହୋଇଥିଲେ। ସେଥିପାଇଁ ସେମାନଙ୍କୁ ଆଶ୍ବାସନା ମିଳିଥିଲା। ମାତ୍ର କୌଣସି ଥଇଥାନ ନ କରି ପ୍ରଶାସନିକ ଅଧିକାରୀମାନେ ବ୍ୟାପକ ପୋଲିସ କର୍ମଚାରୀ ଏବଂ ବୁଲଡୋଜର ଧରି ଉକ୍ତ ପଡାକୁ ଉଚ୍ଛେଦ କରିବାକୁ ଆସିଥିଲେ। ପଡାବାସୀ ତାକୁ ଦୃଢ଼ ବିରୋଧ କରି ରାସ୍ତା ଉପରେ ବସି ପଡିଥିଲେ। ମାତ୍ର ପୋଲିସ କର୍ମଚାରୀମାନେ ସେମାନଙ୍କୁ ଜୋର୍ ଜବରଦସ୍ତ ଉଠାଇ ନେଇଥିଲେ। ଏହାପରେ କେନାଲ ପଡାରେ ରହିଥିବା ଗରିବ ଲୋକଙ୍କ ଗୋଟିଏ ପରେ ଗୋଟିଏ ଘର ଉପରକୁ ମାଡି ଚାଲିଥିଲା ବୁଲଡୋଜର । ଗରିବଙ୍କ ଘର ଉଚ୍ଛେଦ କରିବାକୁ ପ୍ରଶାସନ ତତ୍ପର ହୋଇ ପଡିଛି, ମାତ୍ର ସହରର ବଡବଡିଆ ଜବରଦଖଲକାରୀଙ୍କୁ ପ୍ରଥମେ ଉଚ୍ଛେଦ କରାଯିବା ବଦଳରେ ପ୍ରଶାସନ କାହିଁକି ସେମାନଙ୍କୁ ଏତେ ଅନୁକମ୍ପା ପ୍ରଦର୍ଶନ କରୁଛି ବୋଲି ସବୁଠି ଚର୍ଚ୍ଚା ଚାଲିଛି।


