February 22, 2026

ହାତୀ ଆକ୍ରମଣରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି

1 min read

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଗୋଟିଏ ଗାଁର ଦୁଇ ଜଣଙ୍କର ଜୀବନ ଚାଲିଯାଇଛି। ଆଜି ସକାଳୁ ଏହି ଅଘଟଣ ଘଟିଛି। ଭୀଷ୍ମଗିରି ବିଟ୍ ଅଧୀନ ଜକମେରିପଲ୍ଲୀ ଗାଁରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ମୃତ୍ୟୁ ହୋଇଛି। ମୃତକ ସେହି ଗାଁର ଗୋପୀନାଥ ପ୍ରଧାନ ଓ ଉର୍ମିଳା ରାଉତ ବୋଲି ଜଣାପଡ଼ିଛି। ଉଭୟ ପରିବା ତୋଳିବାକୁ ବିଲକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଗୋପୀନାଥଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମୃତ ମହିଳା ଉର୍ମିଳାଙ୍କ ପରିବାର ଲୋକେ ଚକ୍ଷୁଦାନ କରିଛନ୍ତି। ଏମକେସିଜି ମେଡିକାଲରେ ପରିବାର ଲୋକେ ଚକ୍ଷୁଦାନ କରାଇଥିବା ସୂଚନା ମିଳିଛି।