February 13, 2026

ଏୟାର ଇଣ୍ଡିଆ ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପ୍ରାୟ ୧୦୦ କୋଟି ଟଙ୍କା ର ଜରିମାନା ଲଗାଯାଇଛି

1 min read

ନୂଆଦିଲ୍ଲୀ: ଉଡ଼ାଣ ଉପଯୁକ୍ତ ପରମିଟ୍‌ ନଥାଇ ଆଠ ଥର ଏୟାରବସ୍‌ ବିମାନର ଉଡ଼ାଣ କରିଥିବା ଏୟାର ଇଣ୍ଡିଆ ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପ୍ରାୟ ୧୦୦ କୋଟି ଟଙ୍କା (୧,୧୦,୩୫୦ ଡଲାର)ର ଜରିମାନା ଲଗାଯାଇଛି। ଜରିମାନା ରାଶିକୁ ୩୦ ଦିନରେ ଦାଖଲ କରିବାକୁ କୁହାଯାଇଛି। ଟାଟା ଗ୍ରୁପ୍‌ ଅଧୀନରେ ପରିଚାଳିତ ହେଉଥିବା ଏହି ଏୟାରଲାଇନ୍ସକୁ ଡିଜିସିଏ ଏହା ମଧ୍ୟ ଶୁଣାଇଛି ଯେ ଏଭଳି ଖାମଖିଆଲି ନୀତି ପାଇଁ ବିମାନ ଯାତ୍ରା ପ୍ରତି ଲୋକଙ୍କ ବିଶ୍ବାସ କମ୍‌ ହେଉଛି। ଗତବର୍ଷ ନଭେମ୍ବର ୨୪ ଓ ୨୫ରେ କମ୍ପାନିର ଏକ ଏୟାରବସ୍‌ ଏ୩୨୦ ବିମାନ ଯାତ୍ରୀଙ୍କୁ ନେଇ ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ ଓ ହାଇଦ୍ରାବାଦ ଯାତ୍ରା କରିଥିଲା। ସେହି ବିମାନର ଏୟାରୱର୍ଦିନେସ ରିଭ୍ୟୁ ସାର୍ଟିଫିକେଟ୍‌ ନଥିଲା। ପ୍ରତିବର୍ଷ ସେହି ସାର୍ଟିଫିକେଟ୍‌ ହାସଲ କରିବା ବାଧ୍ୟତାମୂଳକ ଯାହା ବିମାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବା ପରେ ଦିଆଯାଇଥାଏ। ଏୟାର ଇଣ୍ଡିଆ ନିଜସ୍ବ ତଦନ୍ତ ବେଳେ ନିୟମକୁ ଠିକ୍‌ ଭାବେ ପାଳନ କରାଯାଇନଥିବା ଜାଣିଥିଲା। ସେବିଷୟରେ ନିଜ ଆଡ଼ୁ ଡିଜିସିଏକୁ ଅବଗତ କରିଥିଲା। ଚଳିତ ମାସ ୫ରେ ଡିଜିସିଏ ତରଫରୁ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନଙ୍କୁ ଜରିମାନା ନିର୍ଦ୍ଦେଶ ପଠାଯାଇଥିଲା।
ଏୟାର ଇଣ୍ଡିଆକୁ ୧୮ହଜାର କୋଟି ଟଙ୍କାରେ କେନ୍ଦ୍ର ସରକାରଙ୍କଠାରୁ ଟାଟା ଗ୍ରୁପ୍‌ କିଣିଛି। ଏହାପରେ ସେଥିରେ ଭିସ୍ତାରା ଓ ଏୟାର ଏସିଆ ଇଣ୍ଡିଆର ମିଶ୍ରଣ କରି ଏୟାର ଇଣ୍ଡିଆ ଗ୍ରୁପ୍‌ ଗଠନ କରିଛି। ସେଥିରେ ସିଙ୍ଗାପୁର ଏୟାରଲାଇନ୍ସର ମଧ୍ୟ ଅଂଶଧନ ରହିଛି। ଗତବର୍ଷ ଅହମଦାବାଦରେ କମ୍ପାନିର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଯାତ୍ରୀଙ୍କୁ ମୃତ୍ୟୁ ହୋଇଥିଲା। ଏୟାର ଇଣ୍ଡିଆର ପୁନରୁଦ୍ଧାର ଲାଗି ପ୍ରୟାସ ଜାରି ରଖିଥିବା ଟାଟା ଗ୍ରୁପ୍‌ ପାଇଁ ତାହା ଏକ ବଡ଼ ଆହ୍ବାନରେ ପରିଣତ ହୋଇଛି। ପରିଚାଳନାଗତ ତ୍ରୁଟି ପାଇଁ ନିୟମିତ ବ୍ୟବଧାନରେ ଏୟାର ଇଣ୍ଡିଆ ଉପରେ ଜରିମାନା ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।