ସାପ୍ତାହିକ ଖବରକାଗଜ “ମୁକ୍ତ କଲମ’ର ୨୯ତମ ବାର୍ଷୀକ ଉତ୍ସବ ପାଳିତ
1 min read
ଭୁବନେଶ୍ୱର,୯/୨ : ସାପ୍ତାହିକ ଓଡ଼ିଆ ଖବରକାଗଜ “ମୁକ୍ତ କଲମ’ ର ୨୯ ତମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟା ରେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଏତିରେ ମୁଖ୍ୟଅତିଥି ଭାବେ ଭାଷାବିତ୍ ପଦ୍ମଶ୍ରୀ ଡ଼ ଦେବୀପ୍ରସନ୍ନ ପଟ୍ଟନାୟକ, ଅନ୍ୟତମ ଅତିଥିଭାବେ ଆୟ କର ବିଭାଗ ପୂର୍ବତନ ଆୟୁକ୍ତ ଶରତ ଦାସ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ବିଶ୍ୱବାଣୀ ଦୈନିକ ଖବରକାଗଜର ସମ୍ପାଦକ ଅର୍ଜୁନ ମୁଦୁଲି, ଗବେଷିକା ଓ ପ୍ରକାଶିକା ଡ଼ଃ ସୁନୀତି ମୁଣ୍ଡ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ସାମ୍ବାଦିକମାନଙ୍କ ପ୍ରତି ସୁବିଧା ସୁଯୋଗ ସୃଷ୍ଟି କଲେ ହିଁ ଜଣେ ସମ୍ବାଦିକ ଓ ସତ୍ୱାଧୀକାରି ବଂଚି ପାରିବେ ବୋଲି “ମୁକ୍ତ କଲମ’ ସମ୍ପାଦକ ଜ୍ଞାନ ରଞ୍ଜନ ଦାସ ନିଜର ସ୍ୱାଗତ ଭାଷଣରେ ପ୍ରକାଶ କରିଥିଲେ । ସରକାର ବିଜ୍ଞାପନ ନୀତିରେ ପରିବର୍ତନ କଲେ ଗଣମାଧ୍ୟମ ବଂଚି ପାରିବ ଓ ଗଣମାଧ୍ୟମ ସତ୍ୱାଧିକାରୀମାନେ ଏକମନ ଏକମତ ହୋଇ ସମ୍ବାଦପତ୍ରଗୁଡିକୁ ବଂଚାଇବାର ପ୍ରୟାସ କରନ୍ତୁ ବୋଲି ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ ।
ଭାଷାବିତ ପଦ୍ମଶ୍ରୀ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ ୨୯ତମ ସ୍ୱନକ୍ଷତ୍ର ପାଳନ କରୁଥିବା ‘ମୁକ୍ତ କଲମ’କୁ ଆଶୀର୍ବାଦ ଦେଇଥିଲେ । ଓଡ଼ିଆ ଭାଷା, ସଂସ୍କୃତି ଓ ସମାଜକୁ ଅଧିକ ଋଦ୍ଧିମନ୍ତ କରିବା ଦିଗରେ ‘ମୁକ୍ତ କଲମ’ କାର୍ଯ୍ୟ ଜାରି ରଖୁ ବୋଲି ସେ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଆୟକର ବିଭାଗର ପୂବତନ ଆୟୁକ୍ତ ଶରତ ଦାସ, ସାହିତ୍ୟିକା, ଗବେଷିକା ତଥା ଲେଖିକା ଡ.ସୁନିତି ମୁଣ୍ଡ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ‘ମୁକ୍ତ କଲମ’ର ଦୀର୍ଘ ଜୀବନ କାମନା କରିବା ସହ ସାମ୍ବାଦିକତା ମୁକ୍ତ ଓ ନିରପେକ୍ଷ ହେବାକୁ ହେଲେ ସରକାରୀ ଅଙ୍କୁଶରୁ ମୁକ୍ତ ହେବା ଆବଶ୍ୟକ ବୋଲି ମତ ଦେବା ସହ ଖବରକାଗଜ ଓ ସାମ୍ବାଦିକମାନଙ୍କ ପ୍ରତି ସରକାରଙ୍କ ସୁଦୃଷ୍ଟି ରହୁ ବୋଲି ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଭଜନରୁ ଆରମ୍ଭ ହୋଇ ଶେଷରେ କୁନି କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲେ ।


