ପରଲୋକରେ ବରିଷ୍ଠ ସାମ୍ବାଦିକ ମାର୍କ ଟୁଲି

1 min read

ବରିଷ୍ଠ ସାମ୍ବାଦିକ ତଥା ସୁନାମଧନ୍ୟ ଲେଖକ ମାର୍କ ଟୁଲିଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବନ୍ଧୁ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି ।ଅସୁସ୍ଥତା କାରଣରୁ ଟୁଲିଙ୍କୁ ଗତ ୨୧ ତାରିଖରେ ଦିଲୀ ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି । ବୃକକ ଜନିତ ସମସ୍ୟା ପାଇଁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନ ୨.୩୫ରେ ଟୁଲିଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସାଳୟ ନିଶ୍ଚିତ କରିଛି ।

୨୪ ଅକ୍ଟୋବର ୧୯୩୫ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ ଟୁଲି । ଟୁଲି ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକ ଭାରତରେ ବିତାଇଥିଲେ ଏବଂ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ । ୧୯୬୪ ମସିହାରେ ବିବିସିର ପ୍ରତିନିଧି ଭାବରେ ଭାରତ ଫେରି ସେ ନୂଆଦିଲ୍ଲୀ ବ୍ୟୁରୋ ମୁଖ୍ୟ ହୋଇଥିଲେ । ଏହି ପଦବୀରେ ସେ ୨୨ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ଇତିହାସର ଐତିହାସିକ ଘଟଣାବଳୀକୁ କଭର କରିଥିଲେ । ଯେଉଁଥିରେ ୧୯୭୧ ମସିହାର ବାଂଲାଦେଶ ଯୁଦ୍ଧ, ୧୯୭୫-୭୭ ମସିହାର ଜରୁରୀକାଳୀନ ପରିସ୍ଥିତି, ଅପରେସନ ବ୍ଲୁ-ଷ୍ଟାର, ଇନ୍ଦିରା ଏବଂ ରାଜୀବ ଗାନ୍ଧୀଙ୍କ ହତ୍ୟା ଏବଂ ୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗା ଅନ୍ତର୍ଭୁକ୍ତ ରହିଛି । ସେ ୧୦ଟି ପୁସ୍ତକ ଲେଖିଥିଲେ, ଯେଉଁଥିରେ “ନୋ ଫୁଲ୍ ଷ୍ଟପ୍ସ ଇନ୍ ଇଣ୍ଡିଆ”,” ଇଣ୍ଡିଆ ଇନ୍ ସ୍ଲୋ ମୋସନ୍” ଏବଂ “ଦି ହାର୍ଟ ଅଫ୍ ଇଣ୍ଡିଆ” ଅନ୍ତର୍ଭୁକ୍ତ ।