January 7, 2026

ଆମ-ବସ୍ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଚେତିଛି ପ୍ରଶାସନ

1 min read

ଭୁବନେଶ୍ବର: ଆମ-ବସ୍ ଦୁର୍ଘଟଣାରେ ଭୁବନେଶ୍ବର ପରେ ରାଉରକେଲା ଓ କଟକରେ ତତ୍ପରତା । ଉଭୟ ସହରରେ କଡାକଡି ଯାଞ୍ଚ ଆରମ୍ଭ ।

ଗତକାଲି ଭୁବନେଶ୍ବର ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିବା ପରେ ଚେତିଛି ପ୍ରଶାସନ । ଭୁବନେଶ୍ବର ସହର ପ୍ରତ୍ୟକ ଛକରେ ଯାଞ୍ଚ କଡାକଡି କରିଛି କମିଶନରେଟ ପୁଲିସ । ଅନୁରୂପ ଭାବେ କଟକ ଓ ରାଉରକେଲାରେ ଆମ-ବସ୍ ଯାଞ୍ଚ କଡାକଡି କରିଛି ପ୍ରଶାସନ । ରାଉରକେଲା ସହରରେ ବିଭିନ୍ନ ଆମ-ବସ୍ ର ଯାଞ୍ଚ କରୁଛି ପରିବହନ ବିଭାଗ । ସହରରେ ପରିବହନ ବିଭାଗର କର୍ମଚାରୀ ମାନେ ୩ଟି ଦଳରେ ବିଭକ୍ତ ହୋଇ ଯାଞ୍ଚ କରୁଛନ୍ତି । ଚାଳକ ମାନଙ୍କ ଲାଇସେନ୍ସ, ଗାଡ଼ିର ଫିଟନେସ ଓ ମଦ୍ୟପାନ ଯାଞ୍ଚ କରୁଛି ପରିବହନ ବିଭାଗ । ସହରରେ ଚାଲୁଥିବା ୧୧୦ଟି ଯାକ ବସର ଯାଞ୍ଚ ହେବ ବୋଲି ସୂଚନା ରହିଛି ।

ସେହିପରି କଟକରେ ମଧ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି । ନରାଜ ସ୍ଥିତ ଆମ-ବସ୍ ଡିପୋରେ ଆରଟିଓ ବିଭାଗ ପକ୍ଷରୁ ଜୋରଦାର ଯାଞ୍ଚ ଚାଲିଛି । ଚାଳକ ମାନଙ୍କ ମଦ୍ୟପାନ, ନିଶାସେବନ ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରୁଛି ବିଭାଗ ।