ବାଲେଶ୍ଵରରେ ଆରମ୍ଭ ହୋଇଛି ‘କୋଶମ୍ବ-୨୦୨୫’
1 min read
ବାଲେଶ୍ଵର: ଜିଲ୍ଲା ସ୍ୱଦେଶୀ ମେଳା ଏବଂ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ‘କୋଶମ୍ବ-୨୦୨୫’ ବାଲେଶ୍ଵର ପୋଲିସ ପଡ଼ିଆରେ ଉଦଘାଟିତ ହୋଇଯାଇଛି।
ବାଲେଶ୍ୱର ଜିଲ୍ଲାପାଳଙ୍କ ସଭାପତିତ୍ୱ ଆୟୋଜିତ ଉଦଘାଟନୀ ସଭାରେ ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏବଂ ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ସବିତା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ; ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ଓ ରାଜସ୍ୱ); ଉପ-ଜିଲ୍ଲାପାଳ, ବାଲେଶ୍ୱର ଏବଂ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଉପସ୍ଥିତ ରହି ‘କୋଶମ୍ବ ମେଳା’ର ବିଶେଷତ୍ୱ ବିଷୟରେ ଆଲୋଚନା କରିଥିଲେ।
ବରେଣ୍ୟ ଅତିଥିମାନେ ବାଲେଶ୍ୱର ଜିଲ୍ଲାର ଐତିହାସିକ, ସାଂସ୍କୃତିକ ଓ ଔଦ୍ୟୋଗିକ ସଫଳତା ସହିତ ଲଘୁ ଓ କ୍ଷୁଦ୍ର ବ୍ୟବସାୟର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।
କୋଶମ୍ବ ମେଳା-୨୦୨୫ରେ ସର୍ବମୋଟ ୪୦୦ଟି ଷ୍ଟଲ୍ ସ୍ଥାପିତ ହୋଇଥିବା ବେଳେ ଏଥିରେ କୃଷି ବିଭାଗର ୫୦ଟି ଷ୍ଟଲ୍ ସାମିଲ ଅଛି। ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ପ୍ରକାର ଖାଦ୍ୟପେୟର ଆକର୍ଷଣୀୟ ସମ୍ଭାର ମେଳାକୁ ଅଧିକ ଆକର୍ଷଣୀୟ କରିଛି।
ଏଥର ଅଭିନବ ପୁସ୍ତକ ପ୍ରଦର୍ଶନୀ ସହିତ ‘ବୁକ୍ କାଫେ’ର ଆରମ୍ଭ ମେଳାକୁ ନୂଆ ଦିଗ ଦେଇଛି। ବୁକ୍ କାଫେ ପ୍ରତି ବାଲେଶ୍ଵରର ବରିଷ୍ଠ ଲେଖକ ଓ ପୁସ୍ତକପ୍ରେମୀମାନେ ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି। ମେଳାରେ ‘ବାଲେଶ୍ୱର: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଫଟୋ ପ୍ରଦର୍ଶନୀ ଦର୍ଶକଙ୍କୁ ଆକୃଷ୍ଟ କରୁଛି।
କୋଶମ୍ବ ମେଳା ଡିସେମ୍ବର ୨୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।


