December 12, 2025

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

1 min read

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାଷୀଙ୍କଠାରୁ ମାର୍ଚ୍ଚ ୨୦୨୬ ଯାଏ ମଣ୍ଡିରୁ ଧାନ ସଂଗ୍ରହ ହେବ। ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନପୁଟ୍‌ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ। ଭାଜପା ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନ ପ୍ରତିଶ୍ରୁତି ପ୍ରକାରେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା ବୃଦ୍ଧି କରିଥିଲେ। ଚାଷୀମାନଙ୍କର ଧାନଚାଷ ପ୍ରତି ଆଗ୍ରହ ବଢ଼ିଛି। ତେଣୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢୁଛି। କିନ୍ତୁ କେତେକ ସ୍ଥାନରେ ସୋସାଇଟି ସମ୍ପାଦକମାନଙ୍କ ମନମୁଖୀ ଶାସନ ଯୋଗୁ ଅନେକ ଯୋଗ୍ୟ ଚାଷୀ ନାମ ପଞ୍ଜୀକରଣ କରିବାରୁ ବଞ୍ଚିତ ହୋଇଛନ୍ତ। ତେଣୁ ଉକ୍ତ ଚାଷୀମାନେ ଚଳିତ ବର୍ଷ ମଣ୍ଡିରେ ଆଉ ଧାନ ବିକ୍ରି କରିପାରିବେ ନାହିଁ। ଏହିଭଳି ପରିସ୍ଥିତିରେ ଗୁରୁବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ କୃଷକ ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଉପ ଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତକା ଦେଖାଇ ଦୁଇଟି ରଥକୁ ଶୁଭାରମ୍ଭ କରିଥିଲେ। ଉକ୍ତ ପ୍ରଚାର ରଥଗୁଡ଼ିକ ଆଜିଠାରୁ ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରି ଚଳିତ ବର୍ଷର ଧାନକିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ। ଏହାସହ ଚାଷୀ ଯେପରି ମଣ୍ଡିକୁ ଖାଦ୍ୟ ଉପଯୋଗୀ, ଶୁଖିଲା, ପରିଷ୍କାର, ସମରଙ୍ଗୀ, ସମଆକାର,ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଧରି ଆଣିବା ନେଇ ସଚେତନ କରାଯିବ। ଚାଷୀ ସରକାରଙ୍କ ନିକଟରେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବରରେ ଧାନ ବିକ୍ରି ସମ୍ବନ୍ଧରେ ତଥ୍ୟ ପାଇବେ। ଏଥିସହ ଚାଷୀମାନେ ଟୋଲ୍‌ ଫ୍ରି ନମ୍ବର ୧୯୬୭କୁ କଲ୍‌ କରି ସମସ୍ତ ତଥ୍ୟ ହାସଲ କରିପାରିବେ। ଆଗାମୀ ଦିନରେ ଉପଖଣ୍ଡର ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ବୁଗୁଡ଼ା, ଆସିକା, ସୋରଡ଼ା, ଶେରଗଡ଼, ଧରାକୋଟ, ଭଞ୍ଜନଗର ବ୍ଲକରେ କୃଷକ ପ୍ରଚାର ରଥ ମାଧ୍ୟମରେ ଚାଷୀଙ୍କୁ ଏଫ୍‌ଏକ୍ୟୁ ଧାନ କିଣା ବାବଦରେ ସଚେତନତା କରାଯିବ ବୋଲି ଆରଏମ୍‌ସି ସମ୍ପାଦକ ସୁମନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।