ତାମିଲନାଡୁରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା
1 min read
ନୂଆଦିଲ୍ଲୀ: ଧକ୍କା ଖାଇଲା ୨ଟି ଘରୋଇ ବସ୍। ଚାଲିଗଲା ୬ଜଣଙ୍କ ଜୀବନ। ସୋମବାର ସକାଳେ ତାମିଲନାଡୁର ଟେନକାସି ଜିଲ୍ଲାରେ ଦୁଇଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି।
ସୂଚନା ମିଳିଛି ଯେ, ମଦୁରାଇରୁ ସେନକୋଟାଇ ଯାଉଥିବା ଏକ ବସ୍ ଏବଂ ଟେନକାସିରୁ କୋଭିଲପଟ୍ଟି ଅଭିମୁଖେ ଆସୁଥିବା ଅନ୍ୟ ଏକ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ଗାଡ଼ି ଭାଙ୍ଗି ଯାଇଥିବା ବେଳେ ଦୁଇଟି ବସ୍ର ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। କୁହାଯାଉଛି ଯେ, ଦୁର୍ଘଟଣା ଘଟିବା ବେଳେ ଦୁଇଟି ବସ୍ରେ ୫୫ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଦୃଶ୍ୟରେ ରାସ୍ତା ଉପରେ ଭଙ୍ଗା କାଚ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ଜରୁରୀକାଳୀନ ସହାୟତାକାରୀମାନେ ଘଟଣାସ୍ଥଳରେ ଜମା ହୋଇଥିବାରୁ ଯାତାୟତ ପ୍ରଭାବିତ ହୋଇଥିବା କୁହାଯାଉଛି।


