October 25, 2025

ପୁଣି ମହାପ୍ରଭୁଙ୍କୁ ଅପମାନ

1 min read

ପୁରୀ: ମହାପ୍ରଭୁଙ୍କୁ ଅପମାନ କରିବା ଭଳି ଘଟଣା ପୁଣି ଦେଖିବାକୁ ମିଳିଛି। ଶାଢ଼ି ଓ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର ଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ବହୁ କୋଟି ଜଗନ୍ନାପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ଏଭଳି ଚିତ୍ରିତ ମଧୁବନୀ ଶାଢ଼ି ପିନ୍ଧି ବିଜ୍ଞାପିତ କରିଛନ୍ତି ମଡେଲ। ଶାଢ଼ି ଧଡ଼ିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ରହିଛି। ବ୍ଲାଉଜରେ ମଧ୍ୟ ମହାପ୍ରଭୁଙ୍କ ଚିତ୍ର ରହିଛି। ଏହି ଶାଢ଼ି ହ୍ୟାଣ୍ଡ ପେଣ୍ଟେଡ୍‌ ମଧୁବନୀ ବୋଲି ଉଲ୍ଲେଖ ରହିଛି। ସାୟନ୍ତୀ ଘୋଷ୍‌ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡିରେ ଏହି ପୋଷ୍ଟ କରାଯାଇଛି। ଆଇଡିରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋଚିତ୍ରକୁ ଜଣେ ମହିଳା ଶାଢ଼ିରେ ପରିଧାନ କରିବା ନେଇ ବିଜ୍ଞାପନରେ ଦେଖିବାକୁ ମିଳିଛି। କୋଲକତାର ଏହି ଆଇଡିଟି ହୋଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ ରହିଛି। ଏହାକୁ ନେଇ ଜଗନ୍ନାଥପ୍ରେମୀ ଉଦ୍‌ବେଗ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମଡେଲିଂ ଜଣକ ବିଜ୍ଞାପିତ କରିବା ବେଳେ ଶାଢ଼ିର ଧଡ଼ି ଗୋଡ଼ ତଳକୁ ଓହଳି ରହିଛି। ତେଣୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରଭୁଙ୍କୁ ବିଜ୍ଞପିତ କରିବାରେ ଆପତ୍ତି ନାହିଁ, କିନ୍ତୁ ପିନ୍ଧା ବସ୍ତ୍ରରେ ମହାପ୍ରଭୁଙ୍କୁ ସ୍ଥାନିତ କରିବା ଗ୍ରହଣୀୟ ନୁହେଁ ବୋଲି କେତେଜଣ ଭକ୍ତ କହିଛନ୍ତି। ତେଣୁ ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଉକ୍ତ ପୋଷ୍ଟ ହଟାଯିବାକୁ ମତ ପ୍ରକାଶ ପାଇଛି। ଏନେଇ ସୁପକୁଦା ଅଞ୍ଚଳର ଶ୍ରଦ୍ଧାଳୁ ମନ୍ଦାକିନୀ ପ୍ରଧାନ କହିଛନ୍ତି, ଅନେକ ସମୟରେ ମହାପ୍ରଭୁଙ୍କୁ ଅପମାନ କରିବା ଭଳି କାଯର୍ର୍‌ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଯାହା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଉଛି। ମହାପ୍ରଭୁଙ୍କ ଚିତ୍ରଥିବା ଶାଢ଼ି ଓ ବ୍ଲାଉଜ୍‌ ଦେଖି ମନରେ ଆଘାତ ଲାଗିଲା। ଏଭଳି ପୋଷାକ ପରିଧାନ କରିବା ଆଦୌ ଗ୍ରହଣୀୟ ନୁହେଁ। ଏପରି ଶାଢ଼ିକୁ ହଟାଯିବା ସହ ଡିଜାଇନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ। ସେହିପରି ପୁରୀ ବାସିନ୍ଦା ଆଇନଜୀବୀ ରମେଶ ସିଂ କହିଛନ୍ତି, ସାୟନ୍ତୀ ଘୋଷ ଜଣେ ହିନ୍ଦୁ ହୋଇ ଏଭଳି କାର୍ଯ୍ୟ କରିବା ଅତି ଦୁଃଖଦାୟକ ଓ ପରିତାପର ବିଷୟ। ସମ୍ପୃକ୍ତ ଡିଜାଇନକୁ ବ୍ୟାନ କରାଯାଉ। ଏପରି କାର୍ଯ୍ୟ ନିମନ୍ତେ ତାଙ୍କୁ କୈଫିୟତ ମଗାଯିବା ସହ ଦଣ୍ଡ ଦିଆଯାଉ। ନ୍ୟାୟ ସଂହିତାରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।