October 15, 2025

ସଦସ୍ୟଙ୍କୁ ବଡ଼ ଝଟ୍‌କା ଦେଲା EPFO

1 min read

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଏହାର ସଦସ୍ୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଏବେ ବେରୋଜଗାର ସଦସ୍ୟମାନେ ସେମାନଙ୍କର ଭବିଷ୍ୟ ନିଧି (ଇପିଏଫ୍‌) ଓ ପେନସନ୍‌ ଖାତା (ଇପିଏସ୍‌)ରୁ ସମ୍ପୂର୍ଣ୍ଣ ରାଶି ନିକାସୀ ପୂର୍ବ ଅପେକ୍ଷା ଅଧିକ ସମୟ ପରେ କରିପାରିବେ। ଏହି ନିଷ୍ପତ୍ତି ଇପିଏଫ୍‌ଓର କେନ୍ଦ୍ରୀୟ ନ୍ୟାସୀ ମଣ୍ଡଳୀ (ସିବିଟି) ବୈଠକରେ ନିଆଯାଇଛି, ଯାହାର ଅଧ୍ୟକ୍ଷତା କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କରିଥିଲେ।

ଏବେ ଇପିଏଫଓ ସଦସ୍ୟମାନେ ବେରୋଜଗାର ହେବାର ୧୨ ମାସ ପରେ ଭବିଷ୍ୟ ନିଧିରୁ ସମ୍ପୂର୍ଣ୍ଣ ଟଙ୍କା ବାହାର କରିପାରିବେ, ଯାହା ପୂର୍ବରୁ ମାତ୍ର ୨ ମାସ ଥିଲା। ସେହିପରି, ପେନସନ ଖାତାରୁ ସମ୍ପୂର୍ଣ୍ଣ ଟଙ୍କା ବାହାର କରିବାର ସମୟସୀମା ୨ ମାସକୁ ବୃଦ୍ଧି କରି ୩୬ ମାସ କରାଯାଇଛି। ଏହି ପଦକ୍ଷେପ ଔପଚାରିକ କ୍ଷେତ୍ରର ଶ୍ରମିକଙ୍କୁ ଦିଆଯାଉଥିବା ସାମାଜିକ ସୁରକ୍ଷାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ନିଆଯାଇଛି।

ଏକ ନ୍ୟୁଜ ଏଜେନ୍ସି ଅନୁସାରେ, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଯୁବକ ରୋଜଗାର ହରାଇବା ସମୟରେ ତରବରିଆ ଭାବେ ସେମାନଙ୍କର ସମ୍ପୂର୍ଣ୍ଣ ଟଙ୍କା ବାହାର କରିନିଅନ୍ତି। ପରେ ଯେତେବେଳେ ସେମାନେ ପୁନଃ କାର୍ଯ୍ୟରେ ନିୟୋଜିତ ହୁଅନ୍ତି, ସେତେବେଳେ ପେନସନ ପାଇଁ ଆବଶ୍ୟକ ୧୦ ବର୍ଷର ନ୍ୟୂନତମ ସେବା ଅବଧୀ ପୂରଣ କରିପାରନ୍ତି ନାହିଁ। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ସଦସ୍ୟମାନଙ୍କୁ ସେମାନଙ୍କର ପେନସନ ଲାଗି ଯୋଗ୍ୟତା ଓ ଭବିଷ୍ୟତ ସଞ୍ଚୟରୁ ବଞ୍ଚିତ ହେବାରୁ ରକ୍ଷା କରିବା।

ଯେଉଁଠି ସମ୍ପୂର୍ଣ୍ଣ ଟଙ୍କା ବାହାର କରିବାର ସମୟସୀମା ବୃଦ୍ଧି କରାଯାଇଛି, ସେଠାରେ ଆଂଶିକ ଟଙ୍କା ବାହାର କରିବାର ନିୟମକୁ ସହଜ କରାଯାଇଛି। ଏବେ ସଦସ୍ୟମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆଂଶିକ ନିକାସୀ କରିପାରିବେ। ତେବେ, ଏହି ନିୟମ ରହିଛି ଯେ ସଦସ୍ୟଙ୍କୁ ସେମାନଙ୍କର ଯୋଗଦାନର ଅତି କମ ୨୫ ପ୍ରତିଶତ ରାଶି ଖାତାରେ ରଖିବାକୁ ହେବ।

ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ସଦସ୍ୟମାନଙ୍କୁ କେବଳ ତୁରନ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସୁବିଧା ଦେବ ନାହିଁ, ବରଂ ଦୀର୍ଘ ଅବଧିରେ ଉଚ୍ଚ ସୁଧ ହାର ଓ ଚକ୍ରବୃଦ୍ଧି ଲାଭର ସୁବିଧା ମଧ୍ୟ ସୁନିଶ୍ଚିତ କରିବ। ଏହାଦ୍ୱାରା ଅବସର ସମୟରେ ସେମାନଙ୍କ ପାଖରେ ଏକ ସୁରକ୍ଷିତ ଓ ବୃହତ ସଞ୍ଚୟ ରାଶି ଉପଲବ୍ଧ ହେବ। ଏହି ପରିବର୍ତ୍ତନ ଇପିଏଫଓ ସଦସ୍ୟଙ୍କ ହିତ ପାଇଁ ନିଆଯାଇଥିବା ଏକ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି, ଯାହା ସେମାନଙ୍କୁ ଅଳ୍ପ କାଳୀନ ଆବଶ୍ୟକତା ଓ ଦୀର୍ଘକାଳୀନ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିବ।