October 14, 2025

କଟକ ସହରରୁ ହଟିଲା କର୍ଫ୍ୟୁ

1 min read

କଟକ: କଟକ ସହରରୁ ହଟିଲା କର୍ଫ୍ୟୁ। କିନ୍ତୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ରହିବେ। ମଙ୍ଗଳବାର ରାତି ୭ଟା ଯାଏଁ ଇଣ୍ଟରନେଟ ଏବଂ ସୋସିଆଲ ମେଡିଆ ଉପରେ କଟକଣା ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ।

କଟକ ଦୁର୍ଗାପୂଜା ଭସାଣି ସମୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ରରୂପ ଧାରଣ କରିବା ପରେ ରବିବାରଠାରୁ ସହରର ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟିଆ କର୍ଫୁ ଲାଗୁ କରାଯାଇଥିଲା। ସୋମବାର ଦିନ ସମ୍ପୂର୍ଣ୍ଣ ସହର ପୋଲିସ ଛାଉଣି ଭିତରେ ରହିଥିଲା।

କର୍ଫ୍ୟୁ ଲାଗୁ ହେବା ଫଳରେ ଜରୁରୀ ସେବା ବ୍ୟତୀତ ଦୋକାନ ବଜାର ତଥା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ୧୦୦ ପ୍ଲାଟୁନ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ଘର ଭିତରେ ସୁରକ୍ଷିତ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଥିଲେ। କଟକ ସହରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଛି।

ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିଥିଲା। ଆଗକୁ ଦୋକାନ ବଜାର ଖୋଲିବା ସହ ଚଳପ୍ରଚଳ ସ୍ଵାଭାବିକ ହେବ। ଯଦି ପୁଣି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।