January 24, 2026

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଅନୁଷ୍ଠିତ

1 min read

ପୁରୀ: ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହା ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ଥିଲା। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ ଥିଲା। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଥିଲା। ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର ୫ଟାରୁ କେବଳ ବାହାରକାଠ ନିକଟରେ ଦର୍ଶନ କରିଥିଲେ।

ସନ୍ଧ୍ୟା ଦର୍ଶନ ପାଇଁ ଟିକେଟ୍‌ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବାକୁ ବାରଣ କରାଯାଇଥିଲା। ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିଲା। ଦର୍ଶନ ବନ୍ଦ ରହିଲେ ମଧ୍ୟ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ। ଏଣେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଦିନ ତିନି ରଥର ଦକ୍ଷିଣ ମୋଡ଼ ନୀତି ସରିଛି।

ଗତମାସ ଜୁନ ୨୭ ତାରିଖ ଦିନ ଆଶାଢ଼ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ମହାପ୍ରଭୁ ଘୋଷଯାତ୍ରାରେ ବାହାରିଥିଲେ। ଶ୍ରୀଜିଉମାନେ ଜୁନ ୨୯ ତାରିଖରେ ଆଡ଼ପ ମଣ୍ଡପରେ ବିଜେ କରିଥିଲେ। ଜୁନ ୩୦ ତାରିଖ ଠାରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଆଡ଼ପ ମଣ୍ଡପରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି। ଏହାରି ମଧ୍ୟରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।