June 26, 2025

ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ପହଞ୍ଚିଲେ ଶୁଭାଂଶୁ

1 min read

ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ରେ ପହଞ୍ଚି ଇତିହାସ ରଚିଲେ ଭାରତର ପୁଅ ଶୁଭାଂଶୁ ଶୁକ୍ଳା। ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଆଇଏସଏସରେ ପହଞ୍ଚିଛନ୍ତି ଶୁଭାଂଶୁ। ନିର୍ଦ୍ଧାରିତ ସମୟର ୨୦ ମିନିଟ୍‌ ପୂର୍ବରୁ ହିଁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ଡକ୍‌ ହୋଇଛି ଅକ୍ସିଅମ୍‌-୪ ମିଶନର ସ୍ପେସ୍‌ଏକ୍ସ ଡ୍ରାଗନ କ୍ୟାପ୍ସୁଲ। ସଫଳତାର ସହ ସଫ୍ଟ ଡକିଂ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧-୨ ଘଣ୍ଟା ଚାଲିବ ଡକିଂ ପ୍ରକ୍ରିୟା। ୧-୨ ଘଣ୍ଟା ଯାଞ୍ଚ ହେବ, ଯାହା ବାୟୁ ଲିକେଜ୍ ଏବଂ ଚାପର ସ୍ଥିରତା ନିଶ୍ଚିତ କରିବ। ଏହାପରେ ଆଇଏସଏସରେ ପ୍ରବେଶ କରିବେ ଶୁଭାଂଶୁ ଓ ଅନ୍ୟ ୩ ସାଥୀ ମହାକାଶଚାରୀ। ଆଇଏସଏସରେ ସାଥୀଙ୍କ ସହ ୧୪ ଦିନ ରହିବେ ଶୁଭାଂଶୁ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳା ଗତକାଲି ମହାକାଶକୁ ଉଡ଼ାଣ ଭରିଥିଲେ। ଆମେରିକୀୟ ବାଣିଜ୍ୟିକ ମହାକାଶ କମ୍ପାନୀ ‘ଅକ୍ସିଅମ୍‌’ର ଅକ୍ସିଅମ୍‌-୪ ମହାକାଶ ଯାନ ନିର୍ଦ୍ଧାରିତ ସମୟ ବୁଧବାର ଦିନ ୧୨ଟା ୧ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) ଅଭିମୁଖେ ଉଡ଼ାଣ ଭରିଥିଲା। ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ଏ ରକେଟ୍‌ ଦ୍ଵାରା ଏହା ଲଞ୍ଚ୍‌ ହୋଇଥିଲା। ଶୁଭାଂଶୁ ଶୁକ୍ଳା ଜଣେ ପାଇଲଟ୍ ଭାବେ ଏହି ମିଶନରେ ସାମିଲ ଅଛନ୍ତି। ଶୁଭାଂଶୁଙ୍କ ସହ ଅଛନ୍ତି ଆଉ ୩ ଜଣ ମହାକାଶଚାରୀ। ତାଙ୍କ ସହିତ ହଙ୍ଗେରୀର ତିବୋର୍ କାପୁ ଏବଂ ପୋଲାଣ୍ଡର ସ୍ଲାଭୋସ୍ ଉଜ୍‌ନାନସ୍କି-ୱିସ୍‌ନିୱସ୍କି ମିଶନ ବିଶେଷଜ୍ଞ ଭାବରେ ଏହି ମିଶନରେ ସାମିଲ ହୋଇଛନ୍ତି। ସମଗ୍ର ଦଳର ନେତୃତ୍ୱ ନେଇଛନ୍ତି ଅଭିଜ୍ଞ ମହିଳା ମହାକାଶଚାରୀ ପେଗୀ ହ୍ୱିଟସନ। ପେଗୀ ହ୍ୱିଟସନ ନାସାର ସବୁଠାରୁ ଅଭିଜ୍ଞ ମହାକାଶଚାରୀମାନଙ୍କ ମଧ୍ୟରୁ ଅନ୍ୟତମ।

ଦୀର୍ଘ ୪୧ ବର୍ଷ ପରେ ଦ୍ଵିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବାବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଛନ୍ତି ଶୁଭାଂଶୁ। ଏହା ପୂର୍ବରୁ ୧୯୮୪ ମସିହାରେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ।