March 12, 2026

ଏକ ଘରେ ଚଢ଼ଉ କରି ବେଆଇନ ଭାବେ ରଖା ଯାଇଥିବା ୩୩୩ ବୋତଲ କଫ ସିରପ ଜବତ

1 min read

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଶନିବାର ଅପରାହ୍ନରେ ମହନ୍ତିଆପଡ଼ାର ଏକ ଘରେ ଚଢ଼ଉ କରି ବେଆଇନ ଭାବେ ରଖା ଯାଇଥିବା ୩୩୩ ବୋତଲ କଫ ସିରପ ଜବତ କରିଛି। ଏହା ସହ ଏଥିରେ ସମ୍ପୃକ୍ତ କୁତ୍ରା ଥାନା ଖତକୁରବାହାଲ ଅଞ୍ଚଳର ଜଣେ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି। ଅଟକ ଯୁବକ ହେଲେ ନୀତେଶ କୁମାର ବୁଡ଼ା। ସେ ରାଜଗାଙ୍ଗପୁରରୁ ଏସବୁ ସିରପ୍ ଆଣି ଦର୍ଲିପାଲିକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ମାଡ଼ି ବସିଥିଲା।

ନିତେଶ ୬ ବର୍ଷ ପୂର୍ବେ କଫ ସିରପ ଚୋରା ଚାଲାଣ କରୁଥିଲେ। ମଝିରେ ଏ କାରବାର ବନ୍ଦ କରି ଦେଇଥିଲେ। ଏବେ ୩ ମାସ ହେଲା ପୁଣି ଆରମ୍ଭ କରିଥିବା କହିଛନ୍ତି। ଯୁବକ ରାଜଗାଙ୍ଗପୁରରୁ ୨ ପେଟି କପ୍ ସିରଫ ଆଣି ସ୍ଥାନୀୟ ମହାନ୍ତିଆପଡ଼ା ନିଜ ମାମୁ ଘରେ ରଖିଥିଲେ। ଏହା ଦର୍ଲିପାଲି ଚାଲାଣ ହୋଇଥାନ୍ତା।
ହେଲେ କୌଣସି ସୂତ୍ରରୁ ଥାନାଧିକାରୀ ପ୍ରୀତିମଞ୍ଜରୀ ମେଣ୍ଡୁଲି ସୂଚନା ପାଇ ଚଢ଼ଉ ନିର୍ଦେଶ ଦେଇଥିଲେ। ପୁଲିସ ଟିମ୍ ମହନ୍ତିଆପଡ଼ାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିତେଶଙ୍କ ମାମୁ ଘରେ ଚଢ଼ଉ କରି ୱିଂଗସ ଇଣ୍ଡିଆ ଫାର୍ମା କମ୍ପାନି ୱିଙ୍ଗ କରେକ୍ସ ନାମକ ବ୍ରାଣ୍ଡର କଫ ଶିରପ ଜବତ କରିଛି।

ତାକୁ ଟାଉନଥାନାରେ ଅଟକ ରଖି ପଚରାଉଚରା କରି ଏ ବେଆଇନ ବେପାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛି ପୁଲିସ। ରାଜଗାଙ୍ଗପୁରର ଯେଉଁ ଔଷଧ ଦୋକାନୀ ଏଥିରେ ଜଡ଼ିତ, ତାକୁ ମଧ୍ୟ ଧରାଯିବ ବୋଲି କହିଛି ପୁଲିସ।