February 14, 2025

ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

1 min read

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତୋଳନ କରିବା ସହ ଓଡ଼ିଶାର ସାଢ଼େ ୪କୋଟି ଜନତାଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିଲେ । ଏହାପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।
ଏହି ଅବସରରେ ସାମଲ କହିଛନ୍ତି ଯେ, ତିରଙ୍ଗା ହେଉଛି ଆମ ସମସ୍ତଙ୍କର ସମ୍ମାନର ପ୍ରତୀକ। ଭାରତବର୍ଷର ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି । ଆମ ସମ୍ବିଧାନର ପ୍ରଣେତା ଡ. ଭୀମରାଓ ବାବା ସାହେବ ଆମେଦକରଙ୍କୁ ବିଜେପି ସବୁବେଳେ ସମ୍ମାନ ଦେଇଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ବାବା ସାହେବ ଆମ୍ବେଦକରଙ୍କ ପଂଚତୀର୍ଥ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଏନେଇ କାର୍ଯ୍ୟ ଜାରି ରଖିଛନ୍ତି। ଡ. ବାବାସାହେବଙ୍କ ସଂଘର୍ଷମୟୀ ଜୀବନ ଏବଂ ସମ୍ବିଧାନ ରଚିବା ସମୟରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଯେଉଁ ଦୃରଦୃଷ୍ଟି ଥିଲା, ତାହା ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଆମକୁ ସଠିକ ମାର୍ଗରେ ପରିଚାଳନା କରିବ। ଏନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୨୪ନଭେମ୍ବର ୨୬ରୁ ୨୦୨୫ ଜାନୁୟାରୀ ୨୬ ପର୍ଯ୍ୟନ୍ତ ୨ ମାସ ଧରି ସମ୍ବିଧାନ ଗୌରବ ଅଭିଯାନ ଚଲାଇଥିଲେ। ଯେଉଁମାନେ ସମ୍ବିଧାନକୁ ଅବମାନନା କରିଥିଲେ, ଏହାର ନିତିନିୟମକୁ ଉଲ୍ଲଂଘନ କରିଥିଲେ ସେ ବିଷୟରେ ଏହି ଅଭିଯାନରେ ଆଲୋଚନା ହୋଇଥିଲା। ଏହାଦ୍ୱାରା ଆମେ ସମ୍ବିଧାନର ବ୍ୟବସ୍ଥା, ଦାୟିତ୍ୱ ଓ ଅଧିକାର ବିଷୟରେ ଅବଗତ ହୋଇପାରିଥିଲୁ। ଆଜି ଭାରତବର୍ଷରେ ପରିର୍ବତନର ଧାରା ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଭାରତୀୟ ଜନତା ପାର୍ଟି ହାତରେ ରହିଛି। ଏବେ ଆମେ ଆମ ଅସ୍ମିତା, ଆମ ସ୍ୱାବଲମ୍ବ ନୀତିରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିଯୋଗୁ ଆମ ଦାୟିତ୍ୱ ବଢ଼ିଯାଇଛି।
ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଓ ସ୍ଥାଣୁତା ପାଲଟିଯାଇଥିଲା ବୋଲି ଲୋକେ କହୁଥିଲେ। ଗତ ୨୪ ବର୍ଷର ଭ୍ରଷ୍ଟ ଶାସନ ହଟିବା ପରେ ରାଜନୈତିକ ବ୍ୟବସ୍ଥାରେ ପରିବର୍ତନ ହୋଇଛି। ଏବେ ବିକଶିତ ଓଡ଼ିଶା ଓ ଭାରତ ଗଠନ କରିବାର ବେଳ ଆସିଛି। ଆମେ ସମସ୍ତେ ମିଶି ଏହି ବିକାଶକୁ ତ୍ୱରାନ୍ୱିତ କରିବା। ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶକୁ ଚରମମସୀରେ ପହଂଚାଇବା ଆମ ଲକ୍ଷ୍ୟ। ଶିକ୍ଷା ହେଉଛି ଆମର ମେରୁଦଣ୍ଡ ତାକୁ ନେଇ ଓଡ଼ିଶା ଗର୍ବ ଅନୁଭବ କରୁଛି। ଓଡ଼ିଶାରେ ଭରପୁର ସମ୍ଭାବନା ରହିଛି। ଏଭଳି ସମ୍ଭାବନା, ବହୁ କମ୍ ରାଜ୍ୟରେ ରହିଛି। ଓଡ଼ିଶାରେ ପ୍ରାକୃତିକ ବୈଭବ, ତାର ଅପାର ସମ୍ଭାବନା ରହିଛି। ଆମ ପାଖରେ ଯୋଗ୍ୟ ମାନବ ସମ୍ବଳ ସହ ଖଣିଜ ସମ୍ପଦ ଓ ଭରପୁର ବେଳାଭୂମି ରହିଛି। ଚିଲିକା ଭଳି ଅନେକ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଏସବୁର ବିନିଯୋଗ କିପରି ହୋଇପାରିବ ସେଥିପ୍ରତି ଆମକୁ ଦୃଷ୍ଟି ଦେବାକୁ ହେବ। ଏବେ କୋଷ୍ଟାଲ ହାଇୱେର ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ରହିଛି। ସେହିପରି ରେଳପଥର ମଧ୍ୟ ବିକାଶ ହୋଇଛି। ଏହାଦ୍ୱାରା ଓଡ଼ିଶା ଜୀବନ ରେଖାର ବିକାଶ ହେବ। ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ିବ। ଓଡ଼ିଶାର କୃଷି ଓ କୃଷିକଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଅନେକ ପଦକ୍ଷେପ ନେଇଛନ୍ତି। ଏହାର ସଦୁପୋଯୋଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି। ଓଡିଶାକୁ ଆହୁରି ଆଗକୁ ନେବା ପାଇଁ କେନ୍ଦ୍ର ସରକାର ସୁଯୋଗ ଦେଇଛନ୍ତି। ଚାଷୀଙ୍କୁ ଟଙ୍କା, ମହିଳାଙ୍କୁ ସୁଭଦ୍ରା ଯୋଜନା ସହ ବର୍ଦ୍ଧିତ ଭତା ଆଦି ପ୍ରଦାନ କରାଯାଇଛି।

ତେବେ ଆଜିର ଯୁବକମାନଙ୍କ ଉପରେ ବିକାଶ କିପରି ହେବ ନିିର୍ଭର କରୁଛି। ଆଗାମୀ ୩୦ରୁ ୪୦ ବର୍ଷ ଭିତରେ କିପରି କାର୍ଯ୍ୟ ହେବ ସେନେଇ ଯୁବକମାନେ ନିଜକୁ ପ୍ରସ୍ତୁତ କରିବା ଦରକାର । ମୁଖ୍ୟମନ୍ତ୍ରୀ ମାଝୀ,୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଉପରେ ଜୋର ଦେଉଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାକୁ ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ବିକଶିତ ଭାରତ ଗଠନରେ ଓଡ଼ିଶାର ବଡ଼ ଯୋଗଦାନ ରହିବ। ଭାରତ ସହ ସବୁଠାରୁ ଅଧିକ ତାଳ ମିଳେଇ ଚାଲିବ ଓଡ଼ିଶା। ଏହି ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପାଖରେ ରହିଛି। ଏନେଇ ସେ ନିର୍ବାଚନ ଘୋଷଣା ପୂର୍ବରୁ ୨ ଥର ଓ ନିର୍ବାଚନ ସମୟରେ ୪ ଥର ଓଡ଼ିଶା ଆସିଥିଲେ। ଖାଲି ସେତିକି ନୁହେଁ ଓଡ଼ିଶାରେ ସରକାର ହେବା ପରେ ସାତମାସରେ ୫ଥର ଏଠାକୁ ଆସି ଓଡ଼ିଶା ପ୍ରତି ଥିବା ତାଙ୍କ ବିଶ୍ୱାସକୁ ଦର୍ଶାଉଛି। ଏବେ ପୁଣି ଥରେ ୨୮ ତାରିଖରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଜୀଙ୍କ ଫୋକସରେ ଓଡ଼ିଶା ଥିବାରୁ ସାରା ଭାରତବର୍ଷର ନଜର ଏବେ ଆମ ଉପରେ ରହିଛି। ବିକଶିତ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଢ଼ିବାକୁ ସେ ଯେଉଁ ଆଶା ରଖିଛନ୍ତି ଏହାକୁ ପୂରଣ କରିବା ପାଇଁ ଯୁବକମାନେ ଆଗେଇ ଆସିବା ଦରକାର। ଏଥିପାଇଁ ସଂକଳ୍ପ ନେବା ଦରକାର। ବିକଶିତ ଓଡ଼ିଶା ଗଠନ ପାଇଁ ଆଗାମୀ ୫ ବର୍ଷ ବହୁ ଗୁରୁତ୍ୱପୂର୍ଣ୍ଣ। କୌଣସି କାମ ଅସମ୍ଭବ ନୁହେଁ । ତ୍ରୁଟିକୁ ନ ଧରି ଲକ୍ଷ୍ୟ ପଥରେ ଆଗେଇ ଚାଲିଲେ ନିଶ୍ଚୟ ସଫଳତା ମିଳିବ। ସମସ୍ତେ ଏକ ମନ ଓ ଏକପ୍ରାଣ ହୋଇ କାର୍ଯ୍ୟ କରିଲେ ବିକଶିତ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ସାମଲ କହିଥିଲେ।
ସାମଲ ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ଜୟରାଜଗୁରୁ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁବାସଚନ୍ଦ୍ର ବୋଷ, ଭଗତ୍ ସିଂ, ଖୁଦିରାମ ବୋଷ, ଚନ୍ଦ୍ରଶେଖର ଆଜାଦ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କୁ ମନେପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଯତିନ ମହାନ୍ତି, ଶାରଦା ଶତପଥୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ଉପସଭାନେତ୍ରୀ ସୁକେଶି ଓରାମ, କୁସୁମ୍ ଟେଟେ, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ସଂଯୋଜକ ମହେଶ୍ୱର ମହାନ୍ତି, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଠାକୁର ରଞ୍ଜିତ ଦାସ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ବିଧାୟକ ପାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।