ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି
1 min read
ଭଦ୍ରକ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ସାଳନ୍ଦୀ ନଦୀ ରବିବାର ରାତିରୁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଭଦ୍ରକ ସହର ନିକଟସ୍ଥ ରାଜଘାଟଠାରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ସୋମବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଜଳସ୍ତର ୧୭.୭୦ ଫୁଟରେ ପହଞ୍ଚିଛି। ସେହିପରି ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ଜଳସ୍ତର ୧୮.୦୩ ମିଟର ରହିଛି।ହଦଗଡ଼ ଡ୍ୟାମ୍ରୁ ବନ୍ୟାଜଳ ନିଷ୍କାସନ ପାଇଁ ସାଳନ୍ଦୀ ନଦୀକୁ ପାଣି ଛଡ଼ାଯାଉଥିବାରୁ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ଏଥିଯୋଗୁଁ ନଦୀ ତଳିଆ ଅଞ୍ଚଳର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ସାଳନ୍ଦୀ ଓ ଏହାର ଉପନଦୀ ନାଳିଆରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁଁ ଭଦ୍ରକ ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଭଦ୍ରକ ବ୍ଲକର ଅନ୍ନପାଳ, ସାବରଙ୍ଗ, ରାଜମୁକୁନ୍ଦପୁର ଏବଂ ତିହିଡ଼ି ବ୍ଲକର ବାରସର, ବୋଡ଼କ, ତଳ ଗୋପବିନ୍ଧା ସମେତ ଅନେକ ପଞ୍ଚାୟତ ପାଣିଘେରରେ ରହିଛି। ଅନେକ ଅଞ୍ଚଳରେ ରାସ୍ତାଘାଟ ଓ ଚାଷଜମି ଜଳମଗ୍ନ ହୋଇପଡ଼ିଛି।ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏପରି ସ୍ଥିତିରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ସଜାଗ ରହିଛନ୍ତି।


