ଓଡ଼ିଶାର ୭ଟି ରେଳ ଷ୍ଟେସନ୍
1 min read
ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମି ରୂପାନ୍ତର ଓ ଯାତ୍ରୀଙ୍କ ସୁବିଧା ବୃଦ୍ଧି କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଛି। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ୭୫ଟି ପୁନଃନିର୍ମିତ ରେଳ ଷ୍ଟେସନ୍ର ଉଦ୍ଘାଟନ କରିଛନ୍ତି। ଯେଉଁଥିରେ ଓଡ଼ିଶାର ୭ଟି ରେଳ ଷ୍ଟେସନ୍ ଯଥା ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଓ ବିମଳାଗଡ଼ ରହିଛି। ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମିତ ଏହି ଷ୍ଟେସନ୍ଗୁଡ଼ିକ ସେମାନଙ୍କ ଅଞ୍ଚଳର ସାଂସ୍କୃତିକ ପରିଚୟ, ସ୍ଥାପତ୍ୟ କଳା ଓ ଐତିହ୍ୟକୁ ସଂରକ୍ଷଣ କରିବା ସହ ଆଧୁନିକ, ଯାତ୍ରୀ କେନ୍ଦ୍ରିକ ରେଳ ଷ୍ଟେସନ୍ ବିକାଶକୁ ପ୍ରତିଫଳିତ କରୁଛି। ଏଥିରେ ଆଧୁନିକ ଷ୍ଟେସନ୍ ଭବନ, ଉନ୍ନତ ଚଳାଚଳ ପରିସର, ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ଆଧୁନିକ ଶୌଚାଳୟ, ଉନ୍ନତ ପ୍ଲାଟଫର୍ମ ଛାଉଣି, ଡିଜିଟାଲ୍ ଯାତ୍ରୀ ସୂଚନା ପ୍ରଣାଳୀ, ଉନ୍ନତ ଆଲୋକୀକରଣ, ସୂଚନା ଫଳକ, ବହୁ ମାଧ୍ୟମ ପରିବହନ ସଂଯୋଗୀକରଣ ଭଳି ଯାତ୍ରୀ ସୁବିଧା ଉପଲବ୍ଧ ହୋଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ସମ୍ବଲପୁରୀ ହସ୍ତତନ୍ତ ଓ ରାଜକୀୟ ଐତିହ୍ୟଠାରୁ ଆରମ୍ଭ କରି ଖଣି ଅଞ୍ଚଳ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ପର୍ଯ୍ୟନ୍ତ, ଏହି ପୁନଃବିକଶିତ ଷ୍ଟେସନ୍ଗୁଡ଼ିକ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକୁ ଗୌରବାନ୍ୱିତ କରୁଛନ୍ତି।
ପରିଚାଳନାଗତ ଆବଶ୍ୟକତା ଓ ପ୍ରତ୍ୟେକ ଷ୍ଟେସନ୍ର ବିଶେଷ ଚାହିଦାକୁ ଦୃଷ୍ଟିରେ ରଖି ଷ୍ଟେସନଗୁଡ଼ିକରେ ଲିଫ୍ଟ ସୁବିଧା ସହିତ ୧୨ ମିଟର ଚଉଡ଼ା ପାଦଚଲା ଓଭରବ୍ରିଜ୍ (ଏଫ୍ଓବି) ନିର୍ମାଣ ହୋଇଛି। ଏହା ଦିବ୍ୟାଙ୍ଗ ଓ ବୃଦ୍ଧ ଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ କରିବ। ଏଥିସହ ଷ୍ଟେସନ୍ ଭବନଗୁଡ଼ିକରେ ସ୍ଥାନୀୟ କଳା, ସଂସ୍କୃତି ଓ ସ୍ଥାପତ୍ୟର ଉପାଦାନ ସ୍ଥାନ ପାଇଛି, ଯାହାକି ସମ୍ପୃକ୍ତ ଅଞ୍ଚଳର ସ୍ୱତନ୍ତ୍ର ଐତିହ୍ୟକୁ ପ୍ରତିଫଳିତ କରୁଛି। ଏହି ରୂପାନ୍ତରିତ ଷ୍ଟେସନ୍ଗୁଡ଼ିକ ଯାତ୍ରୀଙ୍କ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ। ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ ଏବଂ ପର୍ଯ୍ୟଟନ, ବାଣିଜ୍ୟ ତଥା ସ୍ଥାନୀୟ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହା ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଅନୁଯାୟୀ ବିଶ୍ୱସ୍ତରୀୟ ରେଳ ଭିତ୍ତିଭୂମି ଗଢ଼ି ତୋଳିବାର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରୁଛି ବୋଲି ଭାରତୀୟ ରେଳପଥ ପକ୍ଷରୁ କୁହାଯାଇଛି


