April 16, 2026

ବିସ୍କୁଟର ପ୍ରଲୋଭନ ଦେଖାଇ ୫ ବର୍ଷ ଶିଶୁକୁ ଦୁଷ୍କର୍ମ

1 min read

ସୁନ୍ଦରଗଡ଼: କିଞ୍ଜିରକେଲା ଥାନା ଅନ୍ତର୍ଗତ ହଳମା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି | ଜଣେ ୫ ବର୍ଷିଆ ଶିଶୁକନ୍ୟାକୁ ବିସ୍କୁଟ ଖୁଆଇବାର ପ୍ରଲୋଭନ ଦେଖାଇ ଜଣେ ୫୭ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଲେ ହଳମା ଗ୍ରାମର ସତ୍ୟବାନ ସିଂ। ପୁଲିସ ଅଭିଯୁକ୍ତ ସତ୍ୟବାନ ସିଂକୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁସାରେ, ହଳମା ଗ୍ରାମର ଜଣେ ୫ ବର୍ଷିଆ ନାବାଳିକା ଘରେ ଏକୁଟିଆ ଥିଲା। ନାବାଳିକାର ମାଆବାପା ମହୁଲଫୁଲ ସଂଗ୍ରହ କରିବା ପାଇଁ ଯାଇଥିଲେ। ଏହି ସୁଯୋଗରେ ପଡ଼ୋଷୀ ଅଭିଯୁକ୍ତ ସତ୍ୟବାନ ସିଂ ବିସ୍କୁଟ ଖୁଆଇବାର ପ୍ରଲୋଭନ ଦେଖାଇ ନିଜ ଘରକୁ ଟେକି ନେଇଥିଲା ଓ ଦୁଷ୍କର୍ମ କରିଥିଲା । ନାବାଳିକାକୁ କଷ୍ଟ ହେବାରୁ କାନ୍ଦି ପାଟି କରିବାରୁ ନାବାଳିକାକୁ ଛାଡ଼ି ଦେଇଥିଲା | ମା’ କିରନ ଏକ୍କା (୩୦) ମହୁଲ ସଂଗ୍ରହ ସାରି ଘରକୁ ଫେରିଥିଲେ | ନାବାଳିକା ତାର ମା’କୁ ସମସ୍ତ କଥା କହିଥିଲା । ଏନେଇ ଗ୍ରାମର ଭଦ୍ର ମହିଳା ଓ ଲୋକଙ୍କୁ ଡକାଇ ବୈଠକ ହେଲା। ସେଠାରେ କଥା ନ ଛିଣ୍ଡିବାରୁ ମା’ କିରନ ଏକ୍କା କିଞ୍ଜିରକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ସତ୍ୟବାନ ସିଂକୁ ଗିରଫ କରି କୋର୍ଟଚାଲାଣ କରି ଘଟଣାର ତଦନ୍ତ ଚଳାଇଛି।