ଜୁନ୍ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ମହିଳା ଟି୨୦ ବିଶ୍ବକପ
1 min read
ନୂଆଦିଲ୍ଲୀ:ଇଂଲଣ୍ଡ ଓ ୱେଲ୍ସରେ ଜୁନ୍ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ମହିଳା ଟି୨୦ ବିଶ୍ବକପ ଖେଳାଯିବ। ଟି୨୦ ବିଶ୍ବକପ ଓ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌର ଅଧିନାୟିକା ଓ ସ୍ମୃତି ମାନ୍ଧାନା ଉପଅଧିନାୟିକା ରହିଛନ୍ତି। ଟି୨୦ ବିଶ୍ବକପ ଓ ଟେଷ୍ଟ ଦଳକୁ ଦ୍ରୁତ ବୋଲର ନନ୍ଦିନୀ ଶର୍ମା, ସ୍ପିନର ଶ୍ରୀ ଚରଣି ଓ ୱିକେଟ୍ ରକ୍ଷକ ୟାସ୍ତିକା ଭାଟିଆ ଫେରିଛନ୍ତି। ଓପନର ପ୍ରତୀକା ରାୱଲଙ୍କୁ କେବଳ ଟେଷ୍ଟ ଓ ରାଧା ଯାଦବଙ୍କୁ କେବଳ ଟି୨୦ ବିଶ୍ବକପ ଦଳରେ ସ୍ଥାନ ମିଳିଛି।
ଟି୨୦ ବିଶ୍ବକପ ଲାଗି ବ୍ୟାଟର ଭାବେ ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ହରମନପ୍ରୀତ କୌର, ଜେମିମ୍ମା ରୋଡ୍ରିଗ୍ବେଜ ଓ ଭାରତୀ ଫୁଲମାଳି ରହିଛନ୍ତି। ଟି୨୦ ବିଶ୍ବକପ ପୂର୍ବରୁ ଭାରତ ଇଂଲଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ଖେଳିବ। ବିଶ୍ବକପ ପାଇଁ ଘୋଷିତ ଭାରତୀୟ ଦଳ ଟି୨୦ ଶୃଙ୍ଖଳା ଖେଳିବ। ସେଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଲର୍ଡସରେ ଖେଳିବ। ଟେଷ୍ଟ ପାଇଁ ଭିନ୍ନ ଦଳ ମନୋନୟନ କରାଯାଇଛି। ଆହତ ଥିମା କାସ୍ଭି ଗୌତମ ଓ ଅମନଜ୍ୟୋତ କୌରଙ୍କୁ ସ୍ଥାନ ମିଳିନାହିଁ। ଟି୨୦ ବିଶ୍ବକପରେ ଭାରତ ଗ୍ରୁପ-ଏ ରେ ପାକିସ୍ତାନ, ଅଷ୍ଟ୍ରେଲିଆ,ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍ସ ଓ ବାଂଲାଦେଶ ସହ ସ୍ଥାନ ପାଇଛି। ଦଳ ଜୁନ୍ ୧୪ରେ ବର୍ମିଂହାମରେ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଜୁନ୍ ୧୭ରେ ନେଦରଲାଣ୍ଡ୍ସ, ୨୧ରେ ଦକ୍ଷିଣ ଆଫ୍ରିକା, ୨୫ରେ ବାଂଲାଦେଶ ଓ ୨୮ରେ ଅଷ୍ଟ୍ରେଲିଆ ସହ ମ୍ୟାଚ ଖେଳିବ। ମହିଳା ଟି୨୦ ବିଶ୍ବକପରେ ଭାରତ ୨୦୨୦ରେ ଫାଇନାଲ ଖେଳି ରନର୍ସଅପ ହୋଇଥିଲା।


