ଓସାକ୍ସ ଦ୍ୱାରା ବିଶ୍ୱ ଏଡସ୍ ଦିବସ ପାଳିତ
1 min read
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ଦ୍ୱାରା ଆଜି ରାଜ୍ୟସ୍ତରୀୟ ବିଶ୍ୱ ଏଡସ୍ ଦିବସ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲଠାରେ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ଆମେ ଆଗାମୀ ଦିନରେ ଏଚ.ଆଇ.ଭି ସଂକ୍ରମଣକୁ ରାଜ୍ୟରୁ ମୂଳୋତ୍ପାଟନ କରିପାରିବା । ଯୁବଗୋଷ୍ଠୀ ସଚେତନ ହେଲେ ଆମେ ଆମ ଲକ୍ଷ୍ୟ ସ୍ଥଳରେ ସହଜରେ ପହଂଚିପାରିବା । ନୂତନ ସଂକ୍ରମଣକୁ ରୋକିବା, ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା ଓ ଯତ୍ନ ନେଇ ଆମେ ୨୦୩୦ ସୁଦ୍ଧା ଏହି ସଫଳତା ହାସଲ କରିପାରିବା । ଏହି ଦିବସରେ ଆମ ସାମୂହିକ ପ୍ରଚେଷ୍ଟାକୁ ସୁଦୃଢ କରି ଏଚ.ଆଇ.ଭି ଜନିତ ସେବାଗୁଡିକର ନିରବିଚ୍ଛିନ୍ନତାକୁ ସୁନିଶ୍ଚିତ କରିବା । ଏଡସ୍ ମୁକ୍ତ ରାଜ୍ୟ ଗଠନ ଦିଗରେ ଅଗ୍ରସର ହେବାପାଇଁ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱାସ୍ଥ୍ୟକର୍ମୀ, ଛାତ୍ରଛାତ୍ରୀ ବିଶେଷକରି ଯୁବବର୍ଗ ସଂକଳ୍ପ ନେବାପାଇଁ ମନ୍ତ୍ରୀ ଡ. ମହାଲିଙ୍ଗ ଆହ୍ୱାନ କରିଥିଲେ ।
ଓସାକ୍ସର ପ୍ରକଳ୍ପ ନିଦେ୍ର୍ଦଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ରଖି ଆଜି ଦିନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ ।
ସଚେତନତାର ବାର୍ତା ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଆଜି ପ୍ରଭାତରୁ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଏକ ଗଣଦୌଡ଼ ର ଆୟୋଜନ କରାଯାଇଥିଲା । ଏହି ଗଣଦୌଡ଼କୁ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କୋଟପାଡ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କଂଟାବାଂଜି ବିଧାୟକ ଲକ୍ଷଣ ବାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅସ୍ୱଥୀ ଏସ. ଓ ଅନ୍ୟ ମାନ୍ୟଗଣ ଅତିଥିମାନଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ମନ୍ତ୍ରୀ ଏବଂ ଅତିଥିମାନେ ଛାତ୍ରୀଛାତ୍ରୀମାନଙ୍କ ସହ ଗଣଦୌଡ଼ରେ ସାମିଲ ହୋଇ ସଚେନତାର ବାର୍ତାବହ ସାଜିଥିଲେ ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିଦେ୍ର୍ଦଶକ ବୃନ୍ଦ, ଓସାକ୍ସର ଯୁଗ୍ମ ନିଦେ୍ର୍ଦଶକ ଡା. ଡି.ଏସ. ଅରବିନ୍ଦ, ଆଡମିନିନଷ୍ଟ୍ରେଟିଭ ଅଧିକାରୀ ଶତାବ୍ଦୀ ରାୟ ଏବଂ ଅନ୍ୟ ଅଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଆଜିର ଏହି ବିଶ୍ୱ ଏଡସ୍ ଦିବସ ସପ୍ତାହବ୍ୟାପୀ ରାଜ୍ୟର ସମସ୍ତ ଜିଲାରେ ପାଳନ କରାଯାଇଛି । ଏହାବ୍ୟତୀତ ସମସ୍ତ ସରକାରୀ ମେଡିକାଲ କଲେଜ, ରାଜ୍ୟର ୭୦୦ କଲେଜ ଏବଂ ୮୦୦ ସ୍କୁଲରେ ଥିବା ରେଡ ରିବନ କ୍ଲବମାନଙ୍କ ଦ୍ୱାରା ରେଡକ୍ରସ ସୋସାଇଟି ସହଯୋଗରେ ବିଭିନ୍ନ ପ୍ରତିଯୋଗୀତା ପୂର୍ବକ ଏହି ଦିବସ ପାଳନ କରାଯାଇଛି ।


