June 13, 2026

ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ପଠାଇଛନ୍ତି।

1 min read

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଶୁକ୍ରବାର ଇ-ମେଲ୍‌ ଯୋଗେ ପଠାଇଛନ୍ତି। ଏଥିରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ବ୍ଲକ ଅଫିସ୍‌ ଯାଇଥିବା ସମୟରେ ଆକ୍ରମଣ ଘଟଣାକୁ ଉଲ୍ଲେଖ କରିବା ସହ ଏଥିରେ ବାଧକ ହୋଇଥିବା ସ୍ଥାନୀୟ ବିଧାୟକ ଓ ପ୍ରଶାସକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ୭ ଦିନ ମଧ୍ୟରେ ଭେଟିବାକୁ ସମୟ ମାଗିଛନ୍ତି। ଚିଠିରେ ସେ ଉଳ୍ଲେଖ କରିଛନ୍ତି, ୨୦୧୭ରୁ ସେ ଭାଜପାର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଦଳୀୟ କାର୍ଯ୍ୟକ୍ରମ ସହ ଦଳର ହିତକୁ ସର୍ବଦା ଆଗରେ ରଖିଛନ୍ତି। ତେବେ ଜଣେ ଝିଅ ଭାବେ ଦଳୀୟ କାର୍ଯ୍ୟ କରୁଥିବା ବେଳେ ମହାକାଳପଡା ବିଧାୟକ ତାଙ୍କଠାରୁ ଅନେକ କିଛି ପାଇବାକୁ ଆଶା କରିଥିଲେ। ମାତ୍ର ସମ୍ମାନକୁ ଦୃଷ୍ଟିରେ ରଖି ବିଧାୟକଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି। ସେଥିପାଇଁ ବିଧାୟକ ଓ ତାଙ୍କ ସମର୍ଥକମାନେ ନିର୍ଯାତନା ଦେଇ ଆସୁଛନ୍ତି। ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ପାଣ୍ଠିକୁ ବନ୍ଦ କରିଦିଆଯାଇଛି। ଏନେଇ ବ୍ଲକକୁ ଯାଇ ଆଲୋଚନା ସମୟରେ ବିଡିଓ ବାରମ୍ବାର ବିଧାୟକଙ୍କ କଥା ବୁଝ ବୋଲି କହୁଛନ୍ତି। ୧୧ ତାରିଖରେ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବ୍ଲକକୁ ଯାଇଥିବା ବେଳେ ବିଡିଓଙ୍କ ଇସାରାରେ ବିଧାୟକଙ୍କ ସମର୍ଥକମାନେ ଅଶ୍ଳୀଳ ଭାଷା କହିବା ସହ ଗଣବଳାତ୍କାର କରିବାକୁ ଧମକ ଦେଇଥିଲେ। ସେହିପରି ପୋଲିସ ଗାଡ଼ିରେ ଯାଉଥିବା ବେଳେ ପୋଲିସ କର୍ମଚାରୀ ମାଡ଼ ମାରିବା ସହ ମୋବାଇଲ ଫୋନ୍‌ ଛଡ଼ାଇ ନେଇଛନ୍ତି। ଥାନାରେ ମିଛ କେସ୍‌ ଦେଇ ଜେଲରେ ପୂରାଇ ଦେବାକୁ ଧମକ ଦେବା ସହ ବିଧାୟକଙ୍କ ସହ ମିଳିମିଶି କାମ କର ବୋଲି କହିଛନ୍ତି। ସମସ୍ତଙ୍କ କାର୍ଯ୍ୟକଳାପର ପ୍ରମାଣ ରଖିଥିବାରୁ ମୋବାଇଲ ଫୋନ୍‌ ଦେଇନାହାନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରପଞ୍ଚ ଓଝା ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଉଳ୍ଲେଖ କରିଛନ୍ତି।
ଥାନା ଅଧିକାରୀ ମାନସ ମଲ୍ଲିକ ସୂଚନା ଦେଇଛନ୍ତି, ବିଡିଓ ରବି ନାରାୟଣ ଆଚାର୍ଯ୍ୟ ସରକାରୀ କାର୍ଯ୍ୟ କରୁଥିବା ବେଳେ ସରପଞ୍ଚ ଓଝା ନିରନ୍ତର ଭିଡିଓ କରୁଥିଲେ। ଫଳରେ କାର୍ଯ୍ୟାଳୟରେ ଏକ ବିରକ୍ତିକର ପରିବେଶ ସୃଷ୍ଟି ହେବାରୁ ଥାନାରେ ଅଭିଯୋଗ ପତ୍ର ଦେଇଛନ୍ତି। ଥାନାରେ କୌଣସି ଥାର୍ଡ ଡିଗ୍ରୀ ହୋଇ ନଥିବା ସମ୍ପର୍କରେ ସେ ସିସିଟିଭି ଫୁଟେଜ ଜାରି କରିଛନ୍ତି । ଏହି ଘଟଣା ଏବେ ରାଜ୍ୟରେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଭିନ୍ନ ଅଞ୍ଚଳର ଜନନେତା, ବୁଦ୍ଧିଜୀବୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ମହିଳା ଜନପ୍ରତିନିଧିତ୍ୱକୁ ନେଇ ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି। ଗତ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ସରପଞ୍ଚ ଓଝାଙ୍କୁ ଚିକିତ୍ସାଳୟରେ ଭେଟିଥିଲେ। ଶୁକ୍ରବାର ପୂର୍ବାହ୍ନରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ଜିଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ସରକାରୀ ଶାସନ ବ୍ୟବସ୍ଥାକୁ ସେମାନେ କଟୁ ସମାଲୋଚନା କରିଛନ୍ତି। ସେହିପରି ଏହି ଘଟଣାକୁ ନେଇ ନ୍ୟାୟ ପାଇଁ ଲଢ଼େଇ ପରିବାର ସଙ୍ଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଜାତୀୟ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ଓଝାଙ୍କୁ ନ୍ୟାୟ ଦେବା ପାଇଁ ସେ ଅଭିଯୋଗ ପତ୍ର (ନଂ- ୧୩୩୯୬/୨୦୨୬) ଦେଇଛନ୍ତି ।