January 17, 2025

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି

1 min read

ନୂଆଦିଲ୍ଲୀ: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର ନୂତନ ନିୟମ ଅନୁଯାୟୀ ଅବିବାହିତ ଯୋଡିମାନେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ। ଏହା ଉତ୍ତରପ୍ରଦେଶର ମେରଟ୍‌ ପ୍ରଯୁଜ୍ୟ ହେବ।

ଚେକ୍‌ ଇନ୍‌ ସମୟରେ ସମସ୍ତ ଦମ୍ପତିଙ୍କଠାରୁ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣ ମାଗିବାକୁ କମ୍ପାନୀ ଏହାର ସହଯୋଗୀ ହୋଟେଲଗୁଡ଼ିକୁ କହିଛି। ଅନଲାଇନ୍‌ ବୁକିଂ ଲାଗି ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ହେବ। ତେବେ ଏହି ନିୟମ ମେରଟ୍‌ରେ ଥିବା ଓୟୋ ହୋଟେଲଗୁଡ଼ିକ ଲାଗି ପ୍ରଯୁଜ୍ର ହେବ। ହେଲେ ଯଦି କମ୍ପାନୀ ଏହାକୁ ନେଇ ଭଲ ମତାମତ ପାଏ, ତେବେ ଅନ୍ୟ ସହରରେ ମଧ୍ୟ ଏହି ନିୟମ ଲାଗୁ କରିବାକୁ ବିଚାର କରାଯିବ ବୋଲି କମ୍ପାନୀ କହିଛି।

ନିକଟରେ ଟ୍ରାଭେଲ୍‌ ପିଡିଆ ୨୦୨୪ର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଓୟୋ ହୋଟେଲ ବୁକିଂ ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଅବିବାହିତ ଦମ୍ପତିମାନେ ଓୟୋରେ ଅଧିକ ବୁକିଂ କରିଥାନ୍ତି। ସେମାନଙ୍କ ମଧ୍ୟରେ ତେଲେଙ୍ଗାନାର ଯୁବକମାନେ ଆଗରେ ଅଛନ୍ତି। ଏହାପରେ ଦେଶର ଅନେକ ମେଟ୍ରୋ ସହରର ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏଭଳି ପରିସ୍ଥିତିରେ, ଓୟୋର ଏହି ନିଷ୍ପତ୍ତି ବ୍ୟବସାୟ ଉପରେ କି ପ୍ରଭାବ ପକାଇଥାଏ ତାହା ଦେଖିବାକୁ ବାକି ରହିଲା।