July 27, 2024

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ସନ୍ଧ୍ୟାରେ ସରିଛି ପ୍ରଚାର

1 min read

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରିଛି ପ୍ରଚାର। ଏହି ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସାମିଲ ରହିଛି। ଶେଷ ଦିନରେ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି।

ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଅନେକ ହେଭିୱେଟ୍ ନେତା ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ସମ୍ବଲପୁର ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଇଦାନରେ ରହିଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରୁ ବିଜେପି ନେତା ଜୟନାରାୟଣ ମିଶ୍ର ଏବଂ ବିଜେଡିରୁ ରୋହିତ ପୂଜାରୀ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ଅନ୍ୟପଟେ କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ହେବ ଲଢ଼େଇ। ପୁରୀରେ ବିଜେପିରୁ ସମ୍ବିତ ପାତ୍ର ଓ ବିଜେଡିରୁ ଅରୁପ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ଏହାସହ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବିଜେଡିର ମନ୍ମଥ ରାଉତରାୟ ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ୟରେ ବଡ଼ ଲଢ଼େଇ ଦେଖିବାକୁ ମିଳିବ।

ସେହିପରି ତୃତୀୟ ପର୍ଯ୍ୟାୟରେ ଅନ୍ୟ ହେଭିୱେଟ୍ ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ବାସନ୍ତୀ ହେମ୍ୱ୍ରମ, ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ କୁମାର ସାହୁ ଏବଂ ସଞ୍ଜୟ ଦାସବର୍ମା ପ୍ରମୁଖ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *