କାଳବୈଶାଖୀର ତାଣ୍ଡବ
1 min read
ଆନନ୍ଦପୁର: ଅଦିନରେ ବର୍ଷା, ପବନ, ଘଡ଼ଘଡ଼ି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ କିଛି ପରିବାରର ସର୍ବସ୍ବ ଉଜାଡି ଦେଇଛି ।
ସୂଚନାନୁଯାୟୀ, ଏହି କାଳବୈଶାଖୀ ପ୍ରଭାବରେ ବିରାଟକାୟ ଗଛ ଉପୁଡ଼ି ଯିବାସହ କିଛି ଘରର ଆଜବେଷ୍ଟ ମାନ ଉଡିଯାଇଛି। ସେହିଭଳି କିଛି ଘରର କାନ୍ଥ ଭାଙ୍ଗି ଯାଇଛି । ବାଉଁଶଗଡ଼ ପଞ୍ଚାୟତ ଗଡ଼ଗଡ଼ିଆ ସାହିର ଦୁଇ ପରିବାରର ଶ୍ରୀଧର ପାତ୍ର, ମନୋରଞ୍ଜନ ପାତ୍ରଙ୍କ ଚାରି ବଖରା ଘରେ ଏକ ବିରାଟ ବଡ଼ ଗଛ ପଡିବା ଯୋଗୁ ଘରଟି ମାଟିରେ ମିଶିଯାଇଛି l ଘର ଭିତରେ ଥିବା ସଂପୂର୍ଣ୍ଣ ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ବାଇକ, ସାଇକେଲ ଆଦି ଚାପି ହୋଇ ରହିଯାଇଛି । ଦୁଇ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ମୁଣ୍ଡ ଉପରୁ ଛାତ ହରାଇ ଭାଙ୍ଗିପଡ଼ିଛନ୍ତି। ତେବେ ବାଉଁଶଗଡ଼ ସରପଞ୍ଚ ଖବରପାଇ ପହଞ୍ଚି ସେମାନଙ୍କୁ ଅଙ୍ଗନଓ୍ବାଡି ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏପରିକି ସେମାନଙ୍କ ଖାଇବା ପାଇଁ ଚୁଡା, ଗୁଡ଼, ବିସ୍କୁଟ ଯୋଗାଇ ଦେଇଛନ୍ତି l ଦୁଇ ପରିବାରଙ୍କୁ ସରକାର ତରଫରୁ ସହାୟତା ଦେବାସହ ଆବାସ ଯୋଜନାରେ ଅନର୍ଭୁକ୍ତ କରି ଘର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି