January 24, 2026

ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

1 min read

ପୁରୀ: ପୁଣି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଦୋଳ ପୂର୍ଣ୍ଣିମା ଏବଂ ହୋଲି ସମୟରେ ବଡ଼ ଠାକୁରଙ୍କ ସ୍ଵତନ୍ତ୍ର ନୀତିକାନ୍ତି ପାଇଁ ମାର୍ଚ୍ଚ ୯ରୁ ୧୫ ତାରିଖ ଯାଏଁ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଶେଷ ନୀତିକାନ୍ତି ହେବ। ଏହାକୁ ଦୃଷ୍ଟିରେ ରଖି ଛତିଶାନିଯୋଗର ପରାମର୍ଶ କ୍ରମେ ଏକ ସପ୍ତାହ ମରାମତି କାମ ବନ୍ଦ ରହିବ। ମାର୍ଚ୍ଚ ୧୭ ତାରିଖରୁ ପୁନର୍ବାର ମରାମତି କାମ ଆରମ୍ଭ ହେବ।

କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ମରାମତି ଅଗ୍ରଗତିକୁ ନେଇ ସମୀକ୍ଷା କରାଯାଇଥିଲା। ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ଲାଗି ରହୁଥିବାରୁ ବାରମ୍ବାର ମରାମତି କାମକୁ ସ୍ଥଗିତ ରଖିବାକୁ ପଡ଼ୁଛି। ରତ୍ନଭଣ୍ଡାର ମରାମତି କାମ ପାଇଁ ପ୍ରଥମେ ତିନିମାସ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବାରମ୍ବାର ମରାମତି କାମ ବନ୍ଦ ରହୁଥିବାରୁ ଏହି ସମୟ ଅବଧିକୁ ବଢ଼ାଯାଇଥିଲା।

ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଆହୁରି ଦେଢ଼ରୁ ଦୁଇମାସ ସମୟ ଲାଗିବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସୂଚନା ଦେଇଛନ୍ତି।

ଗତ ୨୦୨୪ ଡିସେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଜିପିଆର ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା। ତିନି ମାସ ମଧ୍ୟରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା।