August 17, 2026

ହ୍ୱାଟ୍ଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା ଆଇଟି ନିୟମ-୨୦୨୧ର ଦାୟିତ୍ୱବୋଧତାକୁ ପାଳନ କରିବାକୁ ବାଧ୍ୟ

1 min read

ନୂଆଦିଲ୍ଲୀ, ୨ା୭: ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା ଆଇଟି ନିୟମ-୨୦୨୧ର ଦାୟିତ୍ୱବୋଧତାକୁ ପାଳନ କରିବାକୁ ବାଧ୍ୟ। ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ କୌଣସି ଠକେଇ ହେଲେ ମୋବାଇଲ ନମ୍ୱର ସାହାଯ୍ୟରେ ପୋଲିସ ଅପରାଧୀଙ୍କ ପରିଚୟ ଏବଂ ଅବସ୍ଥିତି ଟ୍ରାକ୍‌ କରିପାରୁଛି। କିନ୍ତୁ କେବଳ ୟୁଜରନେମ୍‌ ଆଧାରରେ ଯୋଗାଯୋଗ ହେଲେ ଅପରାଧୀଙ୍କ ମୂଳ ମୋବାଇଲ ନମ୍ୱର ଲୁଚି ରହିବ। ନୋଟିସରେ ଆଇଟି ଆକ୍ଟର ଧାରା ୭୯ (ମଧ୍ୟବର୍ତ୍ତୀ ସଂସ୍ଥାର ଦାୟିତ୍ୱ), ଧାରା ୬୬-ସି (ପରିଚୟ ଚୋରି) ଏବଂ ଧାରା ୬୬-ଡି (ଛଦ୍ମବେଶରେ ପ୍ରତାରଣା)ର ଉଲ୍ଲଂଘନ ଆଶଙ୍କା ନେଇ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଜନସାଧାରଣ ଓ ଜାତୀୟ ସୁରକ୍ଷା ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ସରକାର ଏହାର କଡ଼ା ମୂଲ୍ୟାଙ୍କନ କରୁଛନ୍ତି।

ଗ୍ରାହକଙ୍କ ବ୍ୟକ୍ତିଗତ ଗୋପନୀୟତା ରକ୍ଷା ପାଇଁ ହିଁ ଏହି ଫିଚର ପ୍ରସ୍ତୁତ କରାଯାଇଛି, ଯଦ୍ଦ୍ୱାରା ଅପରିଚିତ ବ୍ୟକ୍ତି କିମ୍ୱା ଗ୍ରୁପ୍‌ ଚାଟ୍‌ରେ ମୋବାଇଲ ନମ୍ୱର ଶେୟାର କରିବାକୁ ପଡ଼ିବ ନାହିଁ। କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି, ନକଲି ପରିଚୟ ବା ଜାଲିଆତି ରୋକିବା ପାଇଁ ଏଥିରେ ବହୁସ୍ତରୀୟ ସୁରକ୍ଷା କବଚ ଦିଆଯାଇଛି। ତଦନୁଯାୟୀ, ସରକାରୀ ସଂସ୍ଥା, ନେତା, ସେଲିବ୍ରିଟି ଏବଂ ବ୍ଲୁ-ଟିକ୍‌ ପ୍ରାପ୍ତ ଆକାଉଣ୍ଟଗୁଡ଼ିକର ୟୁଜରନେମ୍‌ ପୂର୍ୱରୁ ହିଁ ବ୍ଲକ କରାଯାଇଛି, ଯେପରି କେହି ସେମାନଙ୍କ ନାମରେ ଜାଲିଆତି କରିପାରିବେ ନାହିଁ। ସେହିପରି ଜଣେ ବ୍ୟକ୍ତି ଏକ ସମୟରେ କେତେଜଣ ନୂଆ ଲୋକଙ୍କୁ ମେସେଜ ପଠାଇପାରିବେ ତାହାର ଏକ ସୀମା ରହିବ। ଏଥିସହ ପ୍ରଥମ ଥର ପାଇଁ କୌଣସି ନୂଆ ୟୁଜରନେମ୍‌ରୁ ମେସେଜ ଆସିଲେ, ସେହି ଆକାଉଣ୍ଟଟି ନୂଆ କି ପୁରୁଣା, କୌଣସି ମ୍ୟୁଚୁଆଲ ଗ୍ରୁପ୍‌ ଅଛି କି ନାହିଁ କିମ୍ୱା ସେ କେଉଁ ଦେଶର, ତାହା ସ୍କ୍ରିନ୍‌ରେ ଦେଖାଯିବ। ୟୁଜରନେମ୍‌ ତିଆରି କଲେ ମଧ୍ୟ ଆକାଉଣ୍ଟ ଖୋଲିବା ପାଇଁ ମୋବାଇଲ ନମ୍ୱର ବାଧ୍ୟତାମୂଳକ ରହିବ।
ଚଳିତ ସପ୍ତାହରୁ ହ୍ୱାଟ୍ସଆପ୍‌ ୟୁଜରନେମ୍‌ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବଜାର ବିଶେଷଜ୍ଞ ଓ ଦେଶର ବଡ଼ ବୈଷୟିକ ଉଦ୍ୟୋଗପତିମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ସାମାଜିକ ଗଣମାଧ୍ୟମ ‘X’ରେ ଲେଖିଛନ୍ତି ଯେ, ବଡ଼ ବ୍ରାଣ୍ଡ ସହ ସମାନ ଶୁଣାଯାଉଥିବା ନକଲି ନାମଗୁଡ଼ିକ ଆଗାମୀ ଦିନରେ ଆର୍ଥିକ ଠକେଇର ସବୁଠାରୁ ବଡ଼ ମାଧ୍ୟମ ସାଜିବ। ଅନ୍ୟପଟେ କ୍ଲଟ୍‌ଡେଟିଙ୍ଗ୍‌ର ସହ-ପ୍ରତିଷ୍ଠାତା ଯଶବୀର ସିଂ ମଧ୍ୟ ଗ୍ରାହକଙ୍କ ସୁରକ୍ଷା ଓ ଉତ୍ତରଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷାକରିବା ନେଇ କମ୍ପାନୀର ନୀତି ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ସରକାରୀ ଯାଞ୍ଚ ଓ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ ଏହି ସେବା ଭାରତରେ ଆନୁଷ୍ଠାନିକ ଭାବେ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।