Categories

February 8, 2026

ଭାରତୀୟ ରିଜର୍ଭ ବ୍ୟାଙ୍କର ଆଗାମୀ ଗଭର୍ନର

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ନର ନିଯୁକ୍ତ କରିଛନ୍ତି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମାଲହୋତ୍ରାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ସେ ବୁଧବାରଠାରୁ କାର୍ଯ୍ୟଭାର ଗ୍ରହଣ କରିବା ସହ ଏହି ପଦବୀରେ ୩ ବର୍ଷ ରହିବେ।
ବର୍ତ୍ତମାନର ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଫିସର ମାଲହୋତ୍ରା ଦାୟିତ୍ୱ ଗ୍ରହଣ କରିବେ। ସେ ଆଇଆଇଟଇ କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ହୋଇଥିବାବେଳେ ଆମେରିକାର ପ୍ରିନ୍ସଟନ୍‌ ୟୁନିଭର୍ସିଟିରୁ ପବ୍ଲିକ୍‌ ପଲିସିରେ ସ୍ନାତକୋତ୍ତର ଡିଗ୍ରୀ କରିଛନ୍ତି। ମାଲହୋତ୍ରା ତାଙ୍କର ୩୩ ବର୍ଷରୁ ଊର୍ଦ୍ଧ୍ୱ କ୍ୟାରିୟର ମଧ୍ୟରେ ଶକ୍ତି, ଫାଇନାନ୍ସ ଏବଂ ଟିକସ ବିଭାଗ, ସୂଚନା ପ୍ରଯୁକ୍ତି, ଖଣି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଏବେ ସେ ଅର୍ଥ ମନ୍ତ୍ରଣାଳୟରେ ରାଜସ୍ବ ସଚିବ ରହିଛନ୍ତି। ଏହା ପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟର ଆର୍ଥତ୍କ ସେବା ବିଭାଗ ସଚିବ ରହିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଅର୍ଥ ଏବଂ ଟିକସ ବ୍ୟବସ୍ଥାରେ ତାଙ୍କର ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ସମ୍ପର୍କିତ ନୀତି ପ୍ରଣୟନରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ସୂଚନାଯୋଗ୍ୟ, ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ରେ ଶକ୍ତିକାନ୍ତ ଆର୍‌ବିଆଇର ୨୫ତମ ଗଭର୍ନର ନିଯୁକ୍ତ ହୋଇଥିଲେ। ୩ ବର୍ଷର ଭାବେ କାର୍ଯ୍ୟ କରିବା ପରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଥିଲା।