June 27, 2025

ପତ୍ନୀହନ୍ତା ସ୍ବାମୀଙ୍କୁ ଫାଶୀ ଦଣ୍ଡାଦେଶ

1 min read

ଭୁବନେଶ୍ୱର : ସ୍ତ୍ରୀକୁ ଛୁରୀ ଭୁସି ବିଭତ୍ସ ହତ୍ୟା । ଅଭିଯୁକ୍ତ ସ୍ୱାମୀ ସଞ୍ଜିତ ଦାସକୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ। ଘଟଣା ଘଟିଥିଲା ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ । ଅଭିଯୁକ୍ତ ସ୍ୱାମୀ ସଞ୍ଜିତ ସ୍ତ୍ରୀ ସରସ୍ୱତୀ ଦାସଙ୍କୁ ୩୩ ଥର ଛୁରୀ ଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା । ଏହା ସହ ୬ ବର୍ଷୀୟ ଝିଅର ତଣ୍ଟି କାଟି ଦେଇଥିଲା । ପାରିବାରିକ କଳହରୁ ଏହି ନରକୀୟକାଣ୍ଡ ଘଟାଇଥିଲା ଅଭିଯୁକ୍ତ ।

୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ ଟି ଡକ୍ୟୁମେଣ୍ଟ ଆଧାରରେ ଏହି ଦାଣ୍ଡବିଧାନ ହୋଇଛନ୍ତି । ଅଭିଯୁକ୍ତର ଝିଅ, ଅଭିଯୁକ୍ତର ମା’ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ । କିନ୍ତୁ ଏହି ଘଟଣାରେ ସର୍ବନିମ୍ନ ଦଣ୍ଡାଦେଶ ପାଇଁ ଯୁକ୍ତି କରିଥିଲେ ଓକିଲ । ମାତ୍ର କୋର୍ଟରେ ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ । ଅଭିଯୁକ୍ତ ସ୍ତ୍ରୀକୁ ୩୩ଥର ଛୁରି ଭୁସିବା ସହିତ ନିଜ ଜନ୍ମିତ ଝିଅକୁ ବି ମାରିବାକୁ ପଛାଇ ନଥିଲା । ଏହି ଘଟଣାରେ ଅପରାଧର ଗମ୍ଭୀରତା ବିଚାର ପାଇଁ ଯୁକ୍ତି କରିଥିଲେ ଓକିଲ । ଏହି ଘଟଣାରେ କୋର୍ଟ କହିଥିଲେ ଅପରାଧୀ କେବଳ ଜଣଙ୍କୁ ହତ୍ୟା କରି ନାହିଁ ସେ ଦୁଇ ଜଣ କୋମଳମତି ଶିଶୁଙ୍କ ଠାରୁ ନିଜ ମା’କୁ ଛଡାଇ ନେଇଛି । ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ହେବ। ଦରକାର । ଏହାକୁ ବିରଳରୁ ବିରଳ ଘଟଣା କହିଲେ ବିଚାରପତି । ତେଣୁ ଅପରାଧୀକୁ ମୃତ୍ୟୁ ଯାଏଁ ଫାଶୀରେ ଝୁଲାଇବାକୁ ଲେଖି କଲମ ମୁନ ଭାଙ୍ଗି ଦେଇଥିଲେ ବିଚାରପତି ।

ସୂଚନାନୁସାରେ,୨୦୨୨ ଜୁନ ୯ ତାରିଖ ବିଳମ୍ବିତ ରାତିରେ ଘାଟିକିଆ ଭରତପୁର ଅଞ୍ଚଳରେ ଘଟିଥିଲା ନାରକୀୟ କାଣ୍ଡ । ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ସଞ୍ଜିତ ପତ୍ନୀ ସରସ୍ୱତୀଙ୍କ ସହ ଝଗଡା ଲାଗିଥିଲା । ସରସ୍ବତୀ ପେସାରେ ନର୍ସ ଥିବାବେଳେ ସଞ୍ଜିତ ବେରୋଜଗାର ଥିବା ସହିତ ଜମି ବିକ୍ରି କରି ନିଶା ପାଣିରେ ବୁଡି ରହୁଥିଲା । ନିଶା ସେବନ ଫଳରେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମଦ ପିଇ ସ୍ତ୍ରୀଙ୍କୁ ମାରଧର କରୁଥିଲା ସଞ୍ଜିତ । ଘଟଣା ଦିନ ରାତିରେ ପାଟିତୁଣ୍ଡ ପରେ ସଞ୍ଜିତ ୩୩ ଥର ଛୁରୀରେ ଭୁସି ସରସ୍ୱତୀଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା । ଏହାପରେ ପରଦିନ ସକାଳେ ସଞ୍ଜିତ ର ୬ ବର୍ଷିଆ ଝିଅ ଉଠି ମା’କୁ ଡାକିବାରୁ ଝିଅର ବି ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟ ବଶତଃ ଝିଅ ବଞ୍ଚିଯାଇଥିଲା । ପରେ ପରିବାର ଲୋକେ ଭରତପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସଞ୍ଜିତକୁ ହେପାଜତକୁ ନେବା ସହ ରକ୍ତ ଲଗା ଛୁରୀ ଓ ଗାମୁଛା ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ଘଟଣାର ରାୟ ପ୍ରକାଶ କରିଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *