October 25, 2025

ସଜେଇ ହେଉଛି ଦାରିଙ୍ଗବାଡ଼ି

1 min read

ଦାରିଙ୍ଗବାଡ଼ି: ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବା ଆରମ୍ଭ କଲେଣି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ଚଳିତଥର ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ଶୀତ ନ ଥିବା ଅନୁଭବ କରି ନିରାଶ ହେଉଛନ୍ତି। ସେପଟେ ଦାରିଙ୍ଗବାଡ଼ିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍‌ ଆସନ୍ତା ନଭେମ୍ବର ୧୫ରେ ଖୋଲିବାକୁ ଯାଉଛି। ଫଳରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେବ ଇକୋ ରିଟ୍ରିଟ୍‌। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲର ବ୍ୟବସ୍ଥା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ବ୍ୟବସ୍ଥା ଭିୟୁ ଦେଖିବା ପାଇଁ ଓ୍ବାଚ୍‌ ଟାଓ୍ବାର ବ୍ୟବସ୍ଥା ସହ ଡାଇନିଂ ହଲ୍‌, ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ବ୍ୟବସ୍ଥା ସହ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ବ୍ୟବସ୍ଥା ଆଦି ପ୍ରସ୍ତୁତି ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ଇକୋ ରିଟ୍ରିଟ୍‌ରେ ତମ୍ବୁ ପକାଯିବା ସହ ସଜାସଜ୍ଜା କାର୍ଯ୍ୟ ଚାଲିଛି। ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ, ଚଳିତ ଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ୍‌କୁ ଆହୁରି ଆକର୍ଷିତ କରାଯିବ। ଏଥିସହ ପର୍ଯ୍ୟଟନକ୍ଷେତ୍ର କଫି ବଗିଚା, ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, ଡୁଲୁରୀ ପାଇନ ବଣ, ଆଦି ରୂପାନ୍ତର କାର୍ଯ୍ୟ ହାତକୁ ନିଆଯାଇଥିବା ସେ କହିଛନ୍ତି। ଇକୋ ରିଟ୍ରିଟ୍‌ ଖୋଲିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।