July 27, 2024

ପୁରୀରେ ବିନା ଦେୟରେ ଦର୍ଶକ ଦେଖିବେ ନାଟକ, ୧୮ରେ ପରିବେଷିତ ହେବ ‘ଆହେ ନୀଳଶଇଳ’

1 min read

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପରିବେଷିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଏତିହାସିକ ନାଟକ ‘ଆହେ ନୀଳଶଇଳ’ ଏଥର ପୁରୀରେ ପ୍ରଦର୍ଶିତ ହେବ। ଶ୍ରୀଜଗନ୍ନାଥଙ୍କ ମହାପର୍ବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ୧୮ ତାରିଖ ସଂଧ୍ୟା ୬.୩୦ରେ ଅଭିନୀତ ହେବ ‘ଆହେ ନୀଳଶଇଳ’।

ଗୁଣ୍ଡିଚା‌ ମନ୍ଦିର ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ଏହି ନାଟକ ପ୍ରଦର୍ଶିତ ହେବ। ଏହି ନାଟକ ଦେଖିବା ଲାଗି ଦର୍ଶକଙ୍କୁ କୌଣସି ପ୍ରବେଶ ଦେୟ ପଡ଼ିବ ନାହିଁ ବୋଲି ‘ଚକଲେଟ୍ ପ୍ରଡକସନ୍ସ’ ପକ୍ଷରୁ ସୂଚନା ଦିଆଯାଇଛି। ମଞ୍ଚ ନାଟକଠାରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଏ କଥାକୁ ଭୁଲ୍‌ ପ୍ରମାଣିତ କରିଛି ‘ଚକଲେଟ୍ ପ୍ରଡକସନ୍ସ’ ପ୍ରଯୋଜିତ ‘ଆହେ ନୀଳଶଇଳ’। ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୧ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଅତୁଟ ରହିଛି।ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ଏହି ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା।

ନିର୍ଦ୍ଦେଶନାରେ ଅଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଏଥିରେ ଓଡ଼ିଆ ସିନେମା ଓ ଛୋଟ ପରଦାର ଅନେକ ଜଣାଶୁଣା କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକୀ ଖାଁ, ରାଜେନ୍ଦ୍ର ସ୍ବାଇଁ ବକ୍ସି, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଈ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଏହାବାଦ୍ ଲଳିତ ମୋହନ ପଣ୍ଡା, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା, ରଘୁନାଥ, ପ୍ରଭାତ, ସୁନୀଲ, ସୁଜିତ, କେକେ, ଚିତ୍ରସେନ, ସତ୍ୟ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ବିପ୍ରଞ୍ଜୟ ପ୍ରଡକସନ୍‌ରେ ସହାୟତା କରିଥିବା ବେଳେ ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ଅନନ୍ତ ଓ ଜିତୁ।

Leave a Reply

Your email address will not be published. Required fields are marked *