୬ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ
1 min read
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଆଗତ କରାଯାଇଥିଲା। ସବୁ ପ୍ରସ୍ତାବଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପରିଷଦର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଠାରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପିତ ହୋଇଛି।
କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (ଇଏମଏଏସ) ଯୋଜନାକୁ ୨୦୨୭-୨୮ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ହୋଇଛି। ଆସନ୍ତା ୫ ବର୍ଷ ପାଇଁ ୨,୩୯୮ କୋଟି ଟଙ୍କାର ବଜେଟ୍ ସହିତ, ଏହି ଯୋଜନା ବାର୍ଷିକ ୧୧ରୁ ୧୨ ଲକ୍ଷ ଜରୁରୀକାଳୀନ ପରିସ୍ଥିତିରେ ସେବା ଯୋଗାଇବ ବୋଲି ଲକ୍ଷ୍ୟ ରଖଯାଇଛି।
ସେହିପରି ଓଡ଼ିଶା କଲ୍ୟାଣ ସେବା ଏବଂ ଓଡ଼ିଶା ଅଧସ୍ତନ କଲ୍ୟାଣ ସେବା କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏଥିରେ ବିଭିନ୍ନ ସ୍ତରରେ ୨୪ଟି ନୂତନ ପଦବୀ ସୃଷ୍ଟି ହେବ।
ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସରୁ ସ୍ନାତକ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଏହାସହ କେନ୍ଦୁଝର ଜିଲ୍ଲାରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ୧୦୮ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପରେ ବୈତରଣୀ ନଦୀର ବାମ ଏବଂ ଡାହାଣ କୂଳ କେନାଲ ପାଇଁ ଭୂତଳ ପାଇପଲାଇନ ଜଳସେଚନ ପ୍ରଣାଳୀ ନିର୍ମାଣ ହେବ।
ଏକ୍ସାଇଜ୍ କନେଷ୍ଟବଳ କ୍ୟାଡରକୁ ଡିଭିଜନାଲରୁ ଜିଲ୍ଲା ସ୍ତରକୁ ସ୍ଥାନାନ୍ତର କରିବା ପାଇଁ ଓଡ଼ିଶା ଲୋୟର ଏକ୍ସାଇଜ୍ ସେବା ନିୟମରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାସହ ଓଡ଼ିଶା ଉତ୍ପାଦ ଶୁଳ୍କ ନିୟମ, ୨୦୧୭ର ଧାରା ୭୯ରେ ସଂଶୋଧନକୁ ହେବ। ଏହାଦ୍ୱାରା ଡିଷ୍ଟିଲେରି ଓ ବଟଲିଂ ୟୁନିଟ୍ ପାଇଁ ଅତିରିକ୍ତ କାର୍ଯ୍ୟ ଶୁଳ୍କ ଛାଡ଼ କରାଯିବ।