କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ଓ ରାଜ୍ୟ ସରକାର
1 min read
ଭୁବନେଶ୍ଵର: ମଧ୍ୟପ୍ରଦେଶରେ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ଓ ରାଜ୍ୟ ସରକାର। ତାମିଲନାଡୁରୁ ଓଡ଼ିଶା ସହ ୪ଟି ରାଜ୍ୟକୁ ଆସିଥିଲା ଏହି ଘାତକ ‘କୋଲଡ୍ରିଫ’ କଫ୍ ସିରପ୍। ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାର ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି। ସେପଟେ ଘଟଣାକୁ ନେଇ ରାଜ୍ୟ ଭେଷଜ ନିୟନ୍ତ୍ରକ ତତ୍ପରତା ପ୍ରକାଶ କରିଚନ୍ତି। ପିଲାଙ୍କୁ କଫ ସିରପ ନ ଦେବା ଲାଗି ପରାମର୍ଶ ଦିଆଯାଇଛି।
ରାଜ୍ୟ ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି ଯେ, “ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁର ପୁଡୁଚେରୀ ସମେତ ଓଡ଼ିଶାର ବରଗଡ଼ ଜିଲ୍ଲାକୁ ଗତ ଅଗଷ୍ଟ ମାସରେ ଏହି କଫ୍ ସିରପ୍ ଆସିଥିଲା। ବରଗଡ଼କୁ ୧୩୦ଟି କଫ୍ ସିରପ୍ ଆସିଥିଲା। ମାତ୍ର ହୋଲସେଲରେ ହିଁ ଆମେ ଫର୍ମ ୧୫ ଆଧାରରେ ସେସବୁ ଔଷଧକୁ ଫ୍ରିଜ୍ କରିଦେଇଛୁ। ସେ ଔଷଧ କେଉଁଠାରେ ବି ଡିଷ୍ଟ୍ରିବ୍ୟୁଟ୍ ହୋଇନି କି କେହି ମଧ୍ୟ ବ୍ୟବହାର କରିନାହାନ୍ତି କି ସେବନ କରିନାହାନ୍ତି। ପ୍ରତି ଏଲୋପାଥିକ ଔଷଧର ପାର୍ଶ୍ବପ୍ରତିକ୍ରିୟା ଅଛି। ଏହି ଔଷଧରେ ଡାଇଥେଲ ଗାଏକୋଲ ରହୁଛି, ଯେଉଁଥିପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିକା ମୁତାବକ ଆମେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଇଛୁ। ଏନେଇ ଏକ ଟାସ୍କ ଫୋର୍ସ ଯାଞ୍ଚ କରୁଛନ୍ତି। ରାଜ୍ୟର କେମିଷ୍ଟ ଏବଂ ଡ୍ରଗିଷ୍ଟମାନଙ୍କ ସହ ଆମେ ଆଲୋଚନା କରିଛୁ,” ବୋଲି କହିଛନ୍ତି ରାଜ୍ୟ ଭେଷଜ ନିୟନ୍ତ୍ରକ।