December 12, 2025

ବଲାଙ୍ଗୀରରେ ଦାବି ପୂରଣ ନେଇ ଅହୋରାତ୍ର ଆନ୍ଦୋଳନ

1 min read

ବଲାଙ୍ଗୀର: ଦୀର୍ଘ ୭ ଦିନରୁ ଅଧିକ ସମୟ ଧରି ଆନ୍ଦୋଳନ କରୁଥିବା ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି ପୂରଣ ନହେବାରୁ ରବିବାରଠାରୁ ଅହୋରାତ୍ର ଆନ୍ଦୋଳନ ଆରମ୍ଭ ହୋଇଛି। ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ବହୁ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ରାତିରେ ଶୀତ କାକରରେ ବସି ଏହି ଆନ୍ଦୋଳନକୁ ଜାରି ରଖିଛନ୍ତି।

ସରକାର ବିରୋଧୀ ନାରାବାଜି କରି ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତୁରନ୍ତ ଦାବି ପୂରଣ କରିବାକୁ କିମ୍ବା ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି। ସଙ୍ଗଠନର ସଭାପତି ଡ. ଓମ୍ ପ୍ରକାଶ ବେହେରା ଏବଂ ସାଧାରଣ ସମ୍ପାଦକ ଅଭିଳାଷ ପଟ୍ଟନାୟକ କହିଛନ୍ତି ଯେ ୭ ଦିନ ଧରି ଆନ୍ଦୋଳନ ସତ୍ତ୍ୱେ ରାଜ୍ୟ ସରକାର ନ ଶୁଣିବାରୁ ଅହୋରାତ୍ର ଆନ୍ଦୋଳନ ଆରମ୍ଭ କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନେ ୮ଟି ମୁଖ୍ୟ ଦାବି ରଖିଛନ୍ତି। ଓପିଏସ୍‌ସି (OPSC) ମାଧ୍ୟମରେ ନୂଆ ସ୍ଥାୟୀ ଆୟୁଷ ମେଡିକାଲ ଅଫିସର ପଦବୀ ସୃଷ୍ଟି କରାଯାଉ। ଉଚ୍ଚ ଶିକ୍ଷା ସୁବିଧା ପାଇଁ ପିଜି (PG) ଏବଂ ପିଏଚଡ଼ି (PhD) ସିଟ୍‌ ବୃଦ୍ଧି କରାଯାଉ। ଆୟୁଷ ହାଉସ ସର୍ଜନମାନଙ୍କର ଡାଇନାମିକ୍ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଉ। ଆୟୁଷ କଲେଜ ଗଭର୍ଣ୍ଣିଂ ବଡ଼ିର ପୁନର୍ଗଠନ କରାଯାଉ। କଲେଜ ଏବଂ ଆୟୁଷ ମନ୍ତ୍ରଣାଳୟର ଗେଜେଟର ପୂର୍ଣ୍ଣ ପ୍ରୟୋଗ କରାଯାଇ ଶିକ୍ଷା ଓ ଭିତ୍ତିଭୂମିର ବିକାଶ କରାଯାଉ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା (ଯଥା ନିରାମୟ, ଗୋପବନ୍ଧୁ ଜନ ଆରୋଗ୍ୟ) ଆଦିରେ ଆୟୁଷକୁ ସମ୍ମିଳିତ କରାଯାଉ। ଆୟୁଷ ଚିକିତ୍ସାଳୟ ନିମନ୍ତେ ସଚେତନତା ଓ ପ୍ରଚାର କରାଯାଉ। ସ୍ୱତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରି ଏହାକୁ ରାଜନୈତିକ ଓ ପ୍ରଶାସନିକ ଦ୍ୱନ୍ଦ୍ୱରୁ ମୁକ୍ତ କରାଯାଉ।