June 21, 2026

ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ

1 min read

ବାଲେଶ୍ୱର: ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ ମାଡ଼ ଖାଇ ମେଡିକାଲ ଯାଇଛନ୍ତି ସ୍ତ୍ରୀ। ଅନ୍ୟପକ୍ଷରେ ସ୍ବାମୀଙ୍କୁ ସହଦେବଖୁଣ୍ଟା ଥାନା ପୋଲିସ ଉଠାଇ ନେଇଛି। ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ଏପରି ହାଇଡ୍ରାମା ଦେଖିବାକୁ ମିଳିଥିଲା। ସ୍ତ୍ରୀଙ୍କୁ ବାଉଁଶ ଠେଙ୍ଗାରେ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ।

ସୂଚନା ମୁତାବକ ବାଲେଶ୍ୱର ସଦର ବ୍ଲକ ଛାନୁଆ ଅଞ୍ଚଳର ପ୍ରତାପ ଜେନା ନାମକ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହିତ ବିବାହ ବିଚ୍ଛେଦ ମାମଲା ବାଲେଶ୍ୱର ପରିବାର ଅଦାଲତରେ ଚାଲିଥିଲା। ଏନେଇ ବୁଧବାର କାଉନସେଲିଂ ପାଇଁ କୋର୍ଟ ପକ୍ଷରୁ ଡକାଯାଇଥିଲା। ତେବେ କାଉନସେଲିଂ ପରେ ଫେରିବା ବେଳେ ଅତର୍କିତ ଭାବରେ ସ୍ତ୍ରୀ ଅନିମାଙ୍କ ଉପରେ ଆକ୍ରମଣ କରିଥିଲେ ସ୍ବାମୀ ପ୍ରତାପ। ଏକ ବାଉଁଶ ଠେଙ୍ଗା ଆଣି ସ୍ତ୍ରୀଙ୍କ ଦୁଇ ଗୋଡ଼ରେ ମାଡ଼ ପରେ ମାଡ଼ ମାରି ଚାଲିଥିଲେ। ତେବେ ଏହାକୁ ଦେଖି ସାଧାରଣ ଲୋକେ ଅଟକାଇବା ସହିତ ଅନିମାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ସହଦେବଖୁଣ୍ଟା ଥାନାକୁ ଖବର ଦେବା ପରେ ପୋଲିସ ଆସି ସ୍ବାମୀ ପ୍ରତାପଙ୍କୁ ଉଠାଇ ନେଇ ତଦନ୍ତ ଜାରି ରଖିଛି।