ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପୁନଃବିକାଶ କାର୍ଯ୍ୟ ସମୀକ୍ଷା
1 min read
ଭୁବନେଶ୍ବର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ୪୪୭୪.୪୯ କୋଟି ବିନିଯୋଗରେ ଜାରି ରହିଛି। ଏହି ପ୍ରକଳ୍ପ ଜୁନ୍ ୨୦୨୬ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଏସ୍ସିବି ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୩୭୯୬କୁ ବୃଦ୍ଧି ପାଇବ। ଏହି ମେଡିକାଲ କଲେଜ ଏମ୍ସ ପ୍ଲସ୍ ପ୍ଲସ୍ ଭାବେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ ତଥା ହସ୍ପିଟାଲର ପୁନଃବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୮୯୫.୮୯ କୋଟି ଟଙ୍କା ବିନିଯୋଗ ହେଉଛି। ଦ୍ବିତୀୟ ପର୍ଯ୍ୟାୟ ପୁନଃବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଏହାର ଶଯ୍ୟାସଂଖ୍ୟା ୧୧୨୭କୁ ବୃଦ୍ଧି ପାଇବ। ବୁର୍ଲା ଭିମସାରର ୧୫୯୪ କୋଟି ବିନିଯୋଗରେ ପୁନଃବିକାଶ କାର୍ଯ୍ୟ କରାଯିବ। ବର୍ତ୍ତମାନ ଏହାର ଶଯ୍ୟାସଂଖ୍ୟା ୧୪୮୫ ରହିଛି। କାର୍ଯ୍ୟ ଶେଷ ହେବା ପରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଏହା ବୃଦ୍ଧି ପାଇ ୨୮୬୧ରେ ପହଞ୍ଚିବ। ସେହିପରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୧୪.୧୩ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ପୁନଃବିକାଶ କାର୍ଯ୍ୟ କରାଯିବ।